fbpx

ରାଜ୍ୟସଭା ଉପନିର୍ବାଚନ: ବିଜେଡି କିଣିଲା ୧୨ ସେଟ୍‌ ଫର୍ମ, ୨ ତାରିଖରୁ ନାମାଙ୍କନ ଦାଖଲ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ପ୍ରଥମ ଦିନରେ ୧୪ ସେଟ୍‌ ଫର୍ମ ବିକ୍ରି ହୋଇଛି । ସେଥିମଧ୍ୟରୁ ୧୨ ସେଟ୍‌ ପର୍ମ ବିଜେଡି କିଣିଥିବା ସୂଚନା ମିଳିଛି । ତେବେ ଏଥର ରାଜ୍ୟସଭାକୁ ବିଜେଡି ପକ୍ଷରୁ କିଏ ଯିବ ଓ କାହା ନାମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିବେ ତାହା ସସ୍‌ପେନ୍ସରେ ରହିଛି । ଗୁରୁବାର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ୧୨ ସେଟ୍‌ ଫର୍ମ ନେଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ୨ଟି ସେଟ୍‌ ଫର୍ମ ନେଇଥିବା ଜଣାପଡିଛି ।ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । ୩ ତାରିଖରେ ଯାଞ୍ଚ ହେବା ପରେ ୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିତ୍ର ପ୍ରତ୍ୟାହାର ହୋଇପାରିବ । ରାଜ୍ୟସଭା ଉପ ନିର୍ବାଚନ ଆସନ୍ତା ୧୩ ତାରିଖରେ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟସଭା ସାଂସଦ ସୁବାସ ସିଂ ଇସ୍ତଫା ଦେବାପରେ ଖାଲି ପଡ଼ିଥିବା ରାଜ୍ୟସଭା ପଦ ପାଇଁ ଆସନ୍ତା ଜୁନ୍‌ ୧୩ ତାରିଖରେ ଏହି ଉପନିର୍ବାଚନ ହେବ । ଆଗରୁ ନିର୍ବାଚନ କମିଶନ ଏହାର ଘୋଷଣା କରିଥିଲେ । ଶ୍ରୀ ସିଂ ୨୦୨୦ ମାର୍ଚ୍ଚରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨ବର୍ଷ ରାଜ୍ୟସଭା ସଦସ୍ୟଭାବେ କାର୍ଯ୍ୟ କରିଥିବା ବେଳେ ଗତ ମାର୍ଚ୍ଚ ୨୭ରେ କଟକ ମେୟର ଭାବେ ନିର୍ବାଚିତ ହୋଇଥିଲେ । ପରେ ଏପ୍ରିଲ ୨୧ରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହା ପୂର୍ବରୁ ୩ଟି ରାଜ୍ୟସଭା ଆସନରେ ଭୋଟ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ ଆସନ୍ତା ୩୧ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । ସଂଖ୍ୟା ଗଣିତ ଦୃଷ୍ଟିରୁ ଏହି ସମସ୍ତ ୩ଟି ଆସନ ଶାସକ ବିଜେଡି ଖାତାକୁ ଯିବା ଏକରକମ ନିଶ୍ଚିତ ହୋଇଥିବାବେଳେ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି ।

Get real time updates directly on you device, subscribe now.