ମହିଳାଙ୍କୁ ରକ୍ଷାବନ୍ଧନ ଉପହାର ଦେବେ ସରକାର, ‘ଲାଡଲୀ ବହନ ଯୋଜନା’ ଅନ୍ତର୍ଗତ ଆକାଉଣ୍ଟକୁ ଟ୍ରାନ୍ସଫର ହେବ ଏତିକି ଟଙ୍କା
ଭୋପାଲ: ବର୍ତ୍ତମାନ ଲୋକସଭାରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କେନ୍ଦ୍ର ବଜେଟକୁ ନେଇ ସବୁଆଡ଼େ ଚର୍ଚ୍ଚା । ବିଶେଷକରି ଗରିବ, ମହିଳା, ଯୁବ ବର୍ଗ ଏବଂ କୃଷକଙ୍କ ଉପରେ ରହିଛି ଫୋକସ୍ । ଏଥିମଧ୍ୟରେ ମଧ୍ୟପ୍ରଦେଶ ସରକାର ରକ୍ଷା ବନ୍ଧନ ପୂର୍ବରୁ ‘ଲାଡଲୀ ବହନ ଯୋଜନା’ ମାଧ୍ୟମରେ ମହିଳାଙ୍କୁ ବଡ଼ ଉପହାର ଦେଇଛନ୍ତି ।
ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶ୍ରୀ ଯାଦବ ମହିଳାଙ୍କ ପାଇଁ ‘ଲାଡଲୀ ବହନ ଯୋଜନା’ ଅନ୍ତର୍ଗତ କିଛି ଖାସ୍ ଘୋଷଣା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର ୧ ତାରିଖକୁ ଆକାଉଣ୍ଟକୁ ଅତିରିକ୍ତ ୨୫୦ ଟଙ୍କା ପ୍ରଦାନ କରାଯିବ । କହିରଖୁଛୁ ଏହି ରାଶି ପୂର୍ବରୁ ପ୍ରଦାନ କରାଯାଉଥିବା ମାସିକ ୧୨୫୦ ଟଙ୍କାରୁ ଭିନ୍ନ ଅଟେ । ରାଜରେ ଭଉଣୀମାନଙ୍କୁ ଏହି ଉପହାର ସହିତ ମୁଖ୍ୟମନ୍ତ୍ରୀ ଜନ ପ୍ରତିନିଧିଙ୍କୁ ନିଜ ଅଞ୍ଚଳରେ ଭଉଣୀଙ୍କ ଠାରୁ ରାକ୍ଷୀ ବାନ୍ଧିବା ପାଇଁ ଆହ୍ୱାନ କରିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ଯାଦବ ପରିବର୍ତ୍ତିତ ପରିସ୍ଥିତି ବିଷୟରେ ଆଲୋଚନା କରି କୃଷକଙ୍କୁ କହିଥିଲେ ଯେ ବର୍ତ୍ତମାନ ସେମାନଙ୍କ ଜମିରୁ ଆୟ ବୃଦ୍ଧି ହେବାକୁ ଯାଉଛି ତେଣୁ ସେମାନେ ନିଜ ଜମି ବିକ୍ରି ନକରନ୍ତୁ ।