fbpx

ଅଗ୍ନି କ୍ଷେପଣାସ୍ତ୍ରର ଜନକ ରାମ ନାରାୟଣ ଅଗ୍ରୱାଲଙ୍କ ନିଧନ, ‘ଅଗ୍ନି ମ୍ୟାନ୍’ ଭାବେ ଥିଲେ ପରିଚିତ

ନୂଆଦିଲ୍ଲୀ: ଗୁରୁବାର ଡିଆରଡିଓ କ୍ଷେପଣାସ୍ତ୍ର ବୈଜ୍ଞାନିକ ରାମ ନାରାୟଣ ଅଗ୍ରୱାଲଙ୍କ ଗୁରୁବାର ପରଲୋକ ଘଟିଛି । ସେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି କ୍ଷେପଣାସ୍ତ୍ରର ଜନକ ଭାବେ ପରିଚିତ ଥିଲେ । ହାଇଦ୍ରାବାଦରେ ଶ୍ରୀ ଅଗ୍ରୱାଲଙ୍କ ୮୪ ବର୍ଷ ବୟସରେ ପରଲୋକ ଘଟିଥିବା ଡିଆରଡିଓର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଡିଆରଡିଓ ଅଧିକାରୀଙ୍କ କହିବା ଅନୁଯାୟୀ, ଡିଆରଡିଓ ବୈଜ୍ଞାନିକ ରାମ ନାରାୟଣ ଅଗ୍ରୱାଲ ଭାରତକୁ ଏକ ପ୍ରମୁଖ କ୍ଷେପଣାସ୍ତ୍ର ଶକ୍ତିରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଅଗ୍ରଓ୍ଵାଲ ଭାରତର ଦୀର୍ଘ ଦୂରତା ବିଶିଷ୍ଟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅଗ୍ନି କ୍ଷେପଣାସ୍ତ୍ରର ପ୍ରଥମ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଥିଲେ ଶ୍ରୀ ଅଗ୍ରୱାଲ । ସେ ଅଗ୍ନି ମ୍ୟାନ ନାମରେ ମଧ୍ୟ ପରିଚିତ ଥିଲେ । ରାଜସ୍ଥାନର ଜୟପୁରରେ ଏକ ବ୍ୟବସାୟୀ ପରିବାରର ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିବା ରାମ ନାରାୟଣ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରୁ ଏରୋସ୍ପେସ ଇଂଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ତାଙ୍କୁ ୧୯୯୦ ମସିହାରେ ପଦ୍ମଶ୍ରୀ ଓ ୨୦୦୦ ମସିହାରେ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା । ଡିଆରଡିଓ ଦ୍ୱାରା ନିର୍ମିତ ଅଗ୍ନି କ୍ଷେପଣାସ୍ତ୍ର ଭାରତର ପରମାଣୁ ଲଞ୍ଚ୍ କ୍ଷମତାର ମେରୁଦଣ୍ଡ ଭାବେ ବିବେଚିତ କରାଯାଏ । ଡିଆରଡିଓର ପୂର୍ବତନ ପ୍ରମୁଖ ଏବଂ ବୈଜ୍ଞାନିକ ଡା ସତୀଶ ରେଡ୍ଡୀ କହିଛନ୍ତି କି ରାମ ନାରାୟଣଙ୍କ ବିୟୋଗରେ ଭାରତ ଏକ ଲିଜେଣ୍ଡଙ୍କୁ ହରାଇଛି । ତାଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଡିଆରଡିଓ, ବୈଜ୍ଞାନିକଙ୍କ ସହ ଅନ୍ୟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.