ରଣଜୀ ଟ୍ରଫି ୨୦୨୨ର ଲିଗ୍ ମ୍ୟାଚ୍ ସମାପ୍ତ, ନକଆଉଟରେ ପହଞ୍ଚିଲେ ଏହି ୯ଟି ଦଳ

ନୂଆଦିଲ୍ଲୀ: ରଣଜୀ ଟ୍ରଫି ୨୦୨୧-୨୨ ସିଜିନର ଲିଗ୍ ମ୍ୟାଚ୍ ସମାପ୍ତ ହୋଇ ସାରିଛି। ଏବେ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରି କ୍ଵାର୍ଟର ଫାଇନାଲ୍, କ୍ଵାର୍ଟର ଫାଇନାଲ୍, ସେମି ଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପ୍ରି କ୍ଵାର୍ଟର ଫାଇନାଲ୍ ଆଇପିଏଲ ୨୦୨୨ ପୂର୍ବରୁ ଆୟୋଜନ ହେଉଥିବା ବେଳେ କ୍ଵାର୍ଟର ଫାଇନାଲ୍ ସମେତ ସେମି ଏବଂ ଫାଇନାଲ୍ ମ୍ୟାଚ୍ ଆଇପିଏଲ ସରିବା ପରେ ଖେଳାଯିବ। ଏବେ ଜାଣନ୍ତୁ ପ୍ରି କ୍ଵାର୍ଟର ଫାଇନାଲ୍ ଏବଂ କ୍ଵାର୍ଟର ଫାଇନାଲରେ କେଉଁ କେଉଁ ଦଳ ପ୍ରବେଶ କରିଛନ୍ତି।

ଅହମ୍ମଦାବାଦରେ ଖେଳାଯାଇଥିବା ଏଲିଟ୍ ଗ୍ରୁପ ଡିର ମୁକାବିଲାରେ ଓଡିଶାକୁ ଇନିଂସ ଏବଂ ୧୦୮ ରନରେ ହରାଇବା ପରେ ମୁମ୍ବାଇ ଦଳ ୨୦୧୭-୧୮ ପରେ ପ୍ରଥମ ଥର ରଣଜୀ ଟ୍ରଫିର କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି। ଏଲିଟ୍ ଗ୍ରୁପ ଏଚରେ ଝାଡଖଣ୍ଡ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ତାଲିମନାଡୁକୁ ହରାଇଛି। ଏଥିସହ ତାମିଲନାଡୁ ରଣଜୀ ଟ୍ରଫିର ଏହି ସିଜିନରେ କ୍ଵାର୍ଟର ଫାଇନାଲ ଦୌଡରୁ ବାଦ୍ ପଡିଛି। ଦିଲ୍ଲୀ ଏବଂ ଚଣ୍ଡିଗଡ ମଧ୍ୟରେ ମ୍ୟାଚ୍ ଡ୍ର ରହିଛି। ତେଣୁ ଗ୍ରୁପ ଏଚରେ ଝାଡଖଣ୍ଡ ଶୀର୍ଷ ସ୍ଥାନରେ ରହିଛି। ଏବେ ଦଳ ପ୍ରି କ୍ଵାର୍ଟର ଫାଇନାଲରେ ନାଗାଲାଣ୍ଡକୁ ଭେଟିବ।

ଚେନ୍ନାଇରେ ଖେଳାଯାଇଥିବା ଗ୍ରୁପ ସିର ମୁକାବିଲାରେ କର୍ଣ୍ଣାଟକ ପୁଡୁଚେରୀକକୁ ଇନିଂସ ଏବଂ ୨୦ ରନରେ ମାତ୍ ଦେଇଛି। ଫଳରେ କର୍ଣ୍ଣାଟକ ପରବର୍ତ୍ତୀ ପର‌୍ୟ୍ୟାୟରେ ପହଞ୍ଚିଛି। ଅନ୍ୟପଟେ ଆନ୍ଧ୍ର ପ୍ରଦେଶ ବିପକ୍ଷ ମୁକାବିଲା ହାରିବା ପରେ ବି ଉତ୍ତରାଖଣ୍ଡ ନକଟଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିଛି। ମଧ୍ୟ ପ୍ରଦେଶ ଏବଂ କେରଳ ମଧ୍ୟରେ ମ୍ୟାଚ୍ ଡ୍ର ରହିଛି। ତେବେ ଉନ୍ନତ ନେଟ୍ ରନ ରେଟ୍ କାରଣରୁ ମଧ୍ୟ ପ୍ରଦେଶ ଶୀର୍ଷ ୮ରେ ନିଜର ସ୍ଥାନ ସୁନିଶ୍ଚିତ କରିଛି।

କୋଲକାତାର ଇଡେନ ଗାର୍ଡେନରେ ମିଜୋରାମକୁ ମାତ୍ ଦେଇ ନାଗଲାଣ୍ଡ ପ୍ଲେଟ୍ ଗ୍ରୁପର ଶୀର୍ଷ ରହି ପ୍ରିକ୍ଵାର୍ଟରକୁ ଉନ୍ନିତ ହୋଇଛି। ଏଲିଟ୍ ଗ୍ରୁପରେ ପଞ୍ଜାବ ତ୍ରିପୁରାକୁ ୬ ଓ୍ଵିକେଟରେ ହରାଇ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି। ପଶ୍ଚିମବଙ୍ଗ ନିଜର ତୃତୀୟ ମ୍ୟାଚରେ ଚଣ୍ଡିଗଡକୁ ୧୫୨ ରନରେ ହରାଇ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି।