fbpx

ଆଇପିଏଲ ୨୦୨୪ର ବିରଳ ସଂଯୋଗ! ଇଂରାଜୀ ଅକ୍ଷର ‘R’ ଥିବା ୪ଟି ଟିମ୍ ପ୍ଲେଅଫରେ ଏଣ୍ଟ୍ରି କରିଛନ୍ତି

Advertisement

ନୂଆଦିଲ୍ଲୀ: ଚଳିତ ଆଇପିଏଲ ୨୦୨୪ରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି । ୪ଟି ଟିମ୍ ପ୍ଲେଅଫରେ ଏଣ୍ଟ୍ରି କରିଥିବା ବେଳେ ଅନ୍ୟ ୬ଟି ଟିମ୍ ବିଦାୟ ନେଇଛନ୍ତି । କୋଲକତା ନାଇଟ୍ ରାଇଡର୍ସ (କେକେଆର), ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ), ରାଜସ୍ଥାନ ରୟାଲ୍ସ (ଆରଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରଆରଆର) ପରସ୍ପର ମଧ୍ୟରେ ଲଢ଼ିବେ । ତେବେ ଏହା ମଧ୍ୟରେ ୨୦୨୪ ଆଇପିଏଲରେ ଏକ ବିରଳ ସଂଯୋଗ ଦେଖିବାକୁ ମିଳିଛି । ଇଂରାଜୀ ଅକ୍ଷର ‘ଆର’ ରହିଥିବା ୪ଟି ଟିମ୍ ପ୍ଲେଅଫରେ ଏଣ୍ଟ୍ରି କରିଥିବା ବେଳେ ‘ଆର’ ଅକ୍ଷର ନଥିବା ଟିମମାନେ ବାଦ୍ ପଡ଼ିଛନ୍ତି । ଏହି ‘ଆର’ ଫ୍ୟାକ୍ଟରକୁ ନେଇ ଏବେ କ୍ରୀଡ଼ା ଜଗତରେ ବେଶ୍ ଚର୍ଚ୍ଚା ଚାଲିଛି ।

ଚେନ୍ନାଇ ସୁପର କିଙ୍ଗସ (ସିଏସକେ), ଦିଲ୍ଲୀ କ୍ୟାପିଟାଲ୍ସ (ଡିସି), ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲଏସଜି), ଗୁଜରାଟ ଟାଇଟନ୍ସ (ଜିଟି), ପଞ୍ଜାବ କିଙ୍ଗସ (ପିକେ), ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ୪ଟି ଟିମ୍ ପ୍ଲେଅଫରୁ ବାଦ୍ ପଡ଼ିଥିବା ବେଳେ ଏହି ଟିମର ଶର୍ଟ ଫର୍ମରେ ଇଂରାଜୀ ଅକ୍ଷର ‘ଆର’ ନାହିଁ । ତେବେ ସୌଭାଗ୍ୟ କ୍ରମେ ଯେଉଁ ୪ଟି ଟିମର ଶର୍ଟ ଫର୍ମରେ ଇଂରାଜୀ ଅକ୍ଷର ‘ଆର’ ରହିଥିଲା ସେମାନେ ଏବେ ଖୁସିର ଆତ୍ମହରା ହୋଇ ଉଠିଥିବା ବେଳେ ଅନ୍ୟ ଟିମମାନେ ଏବେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି ।

ଆଜି କୋଲକତା ଓ ହାଇଦ୍ରାବାଦ ମଧ୍ୟରେ କ୍ୱାଲିଫାୟର-୧ ଖେଳାଯିବ । ତେବେ ଆଜିର ମୁକାବିଲାରେ ଯଦି ବର୍ଷା ହୁଏ ତେବେ ସେନେଇ ଦର୍ଶକଙ୍କ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ । କାରଣ ନିକଟରେ କିଛି ମ୍ୟାଚରେ ବର୍ଷା ହେବା ଫଳରେ କିଛି ଟିମ୍ ପ୍ଲେଅଫରୁ ବିଦାୟ ନେଇଥିଲେ । ତେଣୁ ଏଭଳି ସ୍ଥିତିରେ ବର୍ଷା ନହେଉ ବୋଲି ଅଧିକାଂଶ ଟିମ୍ ଓ ପ୍ରଶଂସକ ଚାହିଁବେ । ସେଥିପାଇଁ ରିଜର୍ଭ ଡେ ରଖାଯାଇଛି । ଯଦି ବର୍ଷା ହୁଏ ସେଥିପାଇଁ ୨ ଘଣ୍ଟାର ଅତିରିକ୍ତ ସମୟ ରଖାଯାଇଛି । ଯଦି ଏହି ଦୁଇ ଘଣ୍ଟା ମଧ୍ୟରେ ମ୍ୟାଚ ଖେଳାଯିବା ସମ୍ଭବ ନହୁଏ ତେବେ ରିଜର୍ଭ ଡେ’ରେ ଖେଳାଯିବ । ସେହିପରି ଯଦି ରିଜର୍ଭ ଡେ’ରେ ମ୍ୟାଚ ଖେଳିବା ସମ୍ଭବ ନ ହୁଏ, ତେବେ ପଏଣ୍ଟସ ଟେବୁଲ ଉପରେ ନଜର ପକାଯିବ । ଅର୍ଥାତ ଦୁଇ ଟିମଙ୍କ ମଧ୍ୟରୁ ଯେଉଁ ଟିମ୍ ଟେବୁଲ ଉପରେ ରହିଥିବ, ସେ ଆଗକୁ ବଢ଼ିବ । ଏହାର ଅର୍ଥ ହେଉଛି, ଯଦି ବର୍ଷା ପାଇଁ କ୍ୱାଲିଫାୟର-୧ ବାଧାପ୍ରାପ୍ତ ହୁଏ, ତେବେ ପଏଣ୍ଟସ ଟେବୁଲ ଟପରେ ରହିଥିବା କୋଲକତାକୁ ଫାଇନାଲ ଟିକେଟ ମିଳିଯିବ ।

Get real time updates directly on you device, subscribe now.