fbpx

‘Rat Hole Mining’ ବଞ୍ଚାଇବ ୪୧ ଜଣ ଶ୍ରମିକଙ୍କ ଜୀବନ: ଏହି ପ୍ରକ୍ରିୟା କିପରି କାମ କରେ, ଏହା ଉପରେ ‘NGT’ ପ୍ରତିବନ୍ଧକ ଲଗାଇଥିଲେ କାହିଁକି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀର ସିଲକ୍ୟାରା ସୁଡ଼ରେ ଫଶିରହିଥିବା ୪୧ ଜଣ ଶ୍ରମିକମାନେ ଆଜି ଉଦ୍ଧାର ହେବା ନେଇ ଆଶା ଉଜ୍ଜୀବିତ ହୋଇଛି । ଦୀର୍ଘ ୧୭ ଦିନ ଧରି ସୁଡ଼ଙ୍ଗର ଅନ୍ଧାର ଭିତରେ ଛଟପଟ ହେବା ପରେ ଶ୍ରମିକମାନେ ସୂର୍ଯ୍ୟ ଆଲୋକ ଦେଖିବାର ସୁଯୋଗ ପାଇବେ । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଶ୍ରମିକମାନେ ଉଦ୍ଧାର ହେବା ନେଇ ସୂଚନା ମିଳିଛି । ସେଥିପାଇଁ ଶ୍ରମିକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ଉପସ୍ଥିତ ରହିବା ସହିତ ୪୧ଟି ଆମ୍ବୁଲାନ୍ସ ସହିତ ଡାକ୍ତରୀ ଟିମ୍ ସୁଡ଼ଙ୍ଗ ନିକଟରେ ପ୍ରସ୍ତୁତ ହୋଇ ରହିଛନ୍ତି ।

ଆମେରିକାର ଆଗର ମେଶିନ ସୁଡ଼ଙ୍ଗ ଭିତରେ ଫଶିବା ପରେ ଏବେ ରେସକ୍ୟୁ ଟିମ୍ ‘ରାଟ ହୋଲ ମାଇନିଂ’ର ସାହାରା ନେଇଛନ୍ତି । ଯେଉଁଠାରେ ଆଗର ମେଶିନ କାମ ଛାଡ଼ିଥିଲା, ସେହିଠାରୁ ମାନୁଆଲ ଭାବେ ଡ୍ରିଲିଂ ଆରମ୍ଭ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୪୨ ମିଟର ଖନନ କରାଯାଇଥିବା ବେଳେ ଆଉ ୨-୩ ମିଟର ବାକି ରହିଛି । ଶ୍ରମିକମାନେ ଟନେଲ ଭିତରେ ପାଖାପାଖି ୬୦ ମିଟର ଦୂରରେ ଫଶି ରହିଛନ୍ତି । ଆଗର ମେଶିନ ୪୮ ମିଟର ପର୍ଯ୍ୟନ୍ତ ଡ୍ରିଲିଂ କରିଥିଲା ।

ସିଲକ୍ୟାରା ଟନେଲର ଅସମାପ୍ତ ଖନନ କାର୍ଯ୍ୟକୁ ‘Rat Hole Mining’ ଜରିଆରେ କରାଯାଉଛି । ‘Rat Hole Mining’ ଅତ୍ୟନ୍ତ ସଂକୀର୍ଣ୍ଣ ସୁଡ଼ଙ୍ଗରେ କରାଯାଇଥାଏ । କୋଇଲା ବାହାର କରିବା ପାଇଁ ମାଇନର୍ସ ହରିଜଣ୍ଟାଲ ସୁଡ଼ଙ୍ଗରେ ଶତାଧିକ ଫୁଟ ତଳକୁ ଯାଇଥାନ୍ତି । ମେଘାଳୟ ପରି ବିପଜ୍ଜନକ ଅଞ୍ଚଳରୁ କୋଇଲା ବାହାର କରିବା ପାଇଁ ଏହାକୁ ବିଶେଷ ଭାବେ ବ୍ୟବହାର କରାଯାଇଥାଏ । ଗତ ୨୦୧୪ ମସିହାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଶ୍ରମିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ବ୍ୟାନ କରିଥିଲେ । ଏନଜିଟିର ପ୍ରତିବନ୍ଧକ ପରେ ବି ଅବୈଧ ଭାବେ ‘Rat Hole Mining’ ଖନନ କାର୍ଯ୍ୟ ଜାରି ରହିଛି । ମେଘାଳୟରେ ପ୍ରତିବର୍ଷ ଅନେକ ଶ୍ରମିକ ଏହି ‘Rat Hole Mining’ କାରଣରୁ ଜୀବନ ହରାଇଥାନ୍ତି । ଏହି କାରଣରୁ ଏହା ସର୍ବଦା ବିବାଦ ଘେରରେ ରହିଥାଏ । ତେବେ ରେସକ୍ୟୁ ଅଞ୍ଚଳରେ କାର୍ଯ୍ୟରେ ଲାଗିଥିବା ଲୋକମାନେ ମାଇନର୍ସ ନୁହନ୍ତି ବୈଷୟିକ ବିଶେଷଜ୍ଞ ବୋଲି ଉତ୍ତରାଖଣ୍ଡ ସରକାଣଙ୍କ ଜଣେ ନୋଡାଲ ଅଧିକାରୀ ସ୍ପଷ୍ଟ କରିଛନ୍ତି ।

ଉତ୍ତରାଖଣ୍ଡର ସୁଡ଼ଙ୍ଗରେ ଫଶି ରହିଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରୁ ୫ ଜଣ ଓଡ଼ିଶା ବାସିନ୍ଦା ଅଟନ୍ତି । ଏହା ମଧ୍ୟରେ ରେସକ୍ୟୁ କାର୍ଯ୍ୟରେ ଅନେକ ବାଧା ସୃଷ୍ଟି ହୋଇଥିଲା, ତଥାପି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶ୍ରମିକଙ୍କ ନିକଟକୁ ଓସାରିଆ ପାଇପ୍ ଜରିଆରେ ଖାଦ୍ୟ, ମେଡିସିନ ଆଦି ପଠାଯାଇଥିଲା । କିଛିଦିନ ତଳେ ୩ ଜଣ ଶ୍ରମିକଙ୍କର ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଥିଲା । ତେଣୁ ପାଇପ୍ ଜରିଆରେ ସେମାନଙ୍କ ପାଖକୁ ଆବଶ୍ୟକ ଔଷଧ ପଠାଯାଇଥିଲା । ଦୀର୍ଘଦିନ ଧରି ବାହାର ଦୁନିଆ ନଦେଖି, ପରିବାର ଲୋକଙ୍କୁ ସହ କଥା ହୋଇ ଶ୍ରମିକମାନେ ଭାବୁକ ହୋଇ ପଡ଼ିଥିଲେ । ଉତ୍ତରକାଶୀ ଜିଲ୍ଲାର ଚାରଧାମ ଯାତ୍ରା ମାର୍ଗରେ ନିର୍ମାଣଧୀନ ୪.୫ କିମି ଲମ୍ବା ସିଲକ୍ୟାରା ସୁଡ଼ଙ୍ଗରେ ଗତ ୧୨ ତାରିଖରେ ଏକ ବିସ୍ଫୋରଣ ହୋଇଥିଲା । ଫଳରେ ଶ୍ରମିକମାନେ ସୁଡ଼ଙ୍ଗ ଭିତରେ ଫଶି ଯାଇଥିଲେ ଓ ଆଉ ବାହାରି ପାରିନଥିଲେ ।

Get real time updates directly on you device, subscribe now.