fbpx

ବିବାହ ପୂର୍ବରୁ କରନ୍ତୁ ଏହି ପରୀକ୍ଷା: ଦାମ୍ପତ୍ୟ ଜୀବନ ହେବ ସୁଖମୟ, ପିଲା ରହିବେ ସୁସ୍ଥ

ଆରମ୍ଭ ହୋଇଗଲାଣି ବିବାହ ଋତୁ । ବର୍ତ୍ତମାନ ଘରେ ଘରେ ସାହାନାଇ ବାଜିବା ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଭେନ୍ୟୁ ବୁକିଂ ଠାରୁ ଆରମ୍ଭ କରି କ୍ୟାଟରିଂ, ଡିଜେ, ଟେଣ୍ଟ ହାଉସ, ଗହଣା, ଲୁଗାପଟା ସପିଙ୍ଗ, ଇତ୍ୟାଦି ଭିତରେ ପରିବାର ଲୋକ ବ୍ୟସ୍ତ ହୋଇ ପଡ଼ିଲେଣି । ଛୋଟ-ବଡ଼ ବ୍ୟବସାୟୀମାନେ ମଧ୍ୟ ଗ୍ରାହକଙ୍କ ଚାହିଦା ଅନୁଯାୟୀ ସଜବାଜ ଆରମ୍ଭ କରିସାରିଲେଣି । ସାଧାରଣତଃ ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ବିବାହ ପୂର୍ବରୁ ଉଭୟ ବର ଏବଂ କନ୍ୟାର ଜାତକ ମେଳ କରାଯାଏ । କିନ୍ତୁ ଏହି ସବୁ ଭିତରେ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଣଦେଖା କରିଥାଉ ଯାହା ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରିଥାଏ ।

ଅଧିକାଂଶ କ୍ଷେତ୍ରରେ ବିବାହ ପୂର୍ବରୁ ଉଭୟ ବର ଏବଂ କନ୍ୟା ପକ୍ଷର ପରିବାର ଲୋକେ ଜାତକ ମିଳନ, ଘର-ପରିବାର, ଚାକିରି, ଜମିବାଡ଼ି ଇତ୍ୟାଦି ଉପରେ ଧ୍ୟାନ ଦେଇଥାନ୍ତି । କିନ୍ତୁ ଏହାଠାରୁ ବି ଅଧିକ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦେବାକୁ ଭୁଲି ଯାଇଥାନ୍ତି ଯାହା ନବ ଦମ୍ପତ୍ତିଙ୍କ ବୈବାହିକ ଜୀବନକୁ ପ୍ରଭାବିତ କରିଥାଏ ।

ତେବେ ବିବାହ ପୂର୍ବରୁ ଉଭୟ ବର ଏବଂ କନ୍ୟାର ଜାତକ ମିଳନ ଯେତିକି ଜରୁରୀ ମେଡ଼ିକାଲ ଟେଷ୍ଟ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଭବିଷ୍ୟତରେ ବିବାହ କରିବାକୁ ଚାହୁଁଥିବା ଯୁବକ୍ ଯୁବତୀ ବିବାହ ପୂର୍ବରୁ “ପ୍ରି ମେରିଟାଲ କାଉନ୍ସିଲିଙ୍ଗ୍ ସେସନ୍’ କରିବା ଉଚିତ୍ । ଏହି ସେସନ୍ ମାଧ୍ୟମରେ ବିବାହ ପରେ ଦେଖା ଯାଉଥିବା ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଅବଗତ କରାଯାଇଥାଏ । ଏହି କାଉନ୍ସିଲିଙ୍ଗ ସେସନର ମୁଳ ଉଦ୍ଦେଶ୍ୟ ହେଉଛି ବିବାହ କରିବାକୁ ଯାଉଥିବା ଦମ୍ପତ୍ତିମାନଙ୍କ ନିକଟରେ ଦେଖା ଦେଇଥିବା ବିଭିନ୍ନ ସଂକ୍ରାମକ ରୋଗ ଏବଂ ପ୍ରଜନନ ଓ ଅନୁବାଂଶିକ ରୋଗ । ବିବାହ ପୂର୍ବରୁ ଏସବୁକୁ ଚିହ୍ନଟ କରି ତାହାର ପ୍ରତିକାର କରିବା ନିହାତି ଆବଶ୍ୟକ । ତେବେ ଏହି ପ୍ରି ମେରିଟାଲ କାଉନ୍ସିଲିଙ୍ଗ୍ ସେସନରେ ନିମ୍ନଲିଖିତ ପରୀକ୍ଷା କରାଯାଇଥାଏ:

ସାମାନ୍ୟ ପରୀକ୍ଷା(General test): ଏଥିରେ ଶାରୀରିକ ପରୀକ୍ଷା, ସମ୍ପୂର୍ଣ୍ଣ ରକ୍ତ ଗଣନା(ସିବିସି), ସମ୍ପୂର୍ଣ୍ଣ ପରିସ୍ରା ବିଶ୍ଲେଷଣ, ପେରିଫେରାଲ ବ୍ଲଡ଼୍ ସ୍ମୀୟର୍ସ, ବ୍ଲଡ଼୍ ଗ୍ରୁପ୍ ଟେଷ୍ଟିଂ ଇତ୍ୟାଦି ।

– ସଂକ୍ରାମକ ରୋଗ ପରୀକ୍ଷଣ(Infectious Disease Testing): ଏହି ପରୀକ୍ଷଣରେ ଦମ୍ପତ୍ତିଙ୍କ ଏଚ୍ଆଇଭି, ହେପାଟାଇଟସ୍ “ବି’ ଏବଂ “ସି’ ଏବଂ ଏସଟିଡି ପରୀକ୍ଷା ହୋଇଥାଏ । କାରଣ ଠିକ୍ ସମୟରେ ଚିକିତ୍ସା ନ ହେଲେ ବନ୍ଧ୍ୟା ଦୋଷ, ଏକଟୋପିକ୍ ଗର୍ଭଧାରଣ, କ୍ୟାନ୍ସର ଇତ୍ୟାଦି ଭଳି ସମସ୍ୟା ଦେଖାଦେଇପାରେ ।

ଅନୁବାଂଶିକ ପରୀକ୍ଷଣ(Genetic Testing): ଏହି ପରୀକ୍ଷଣ ଦ୍ୱାରା ଦମ୍ପତ୍ତିଙ୍କ ପୈତୃକ ରୋଗ ବିଷୟରେ ଜଣା ପଡ଼ିଥାଏ । ସମୟ ପୂର୍ବରୁ ରୋଗର ଯାଞ୍ଚ କରି ବିଶ୍ଲେଷଣ କରାଯାଇଥାଏ । ଏହା ବ୍ୟତୀତ, ପ୍ରଜନନ ପରୀକ୍ଷା, କୋ÷ଣସି ସ୍ଥାୟୀ ରୋଗ ଏବଂ ମାନସିକ ସ୍ୱାସ୍ଥ୍ୟର ଯାଞ୍ଚ କରିବା ଆବଶ୍ୟକ ହୋଇଥାଏ ।

ତେବେ ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ପ୍ରି ମେରିଟାଲ ସ୍କ୍ରିନିଂ କରାଇବା ବିଷୟରେ ଥରୁଟିଏ ନିଶ୍ଚିତ ଭାବନ୍ତୁ ।

Get real time updates directly on you device, subscribe now.