fbpx

ରଥଯାତ୍ରାକୁ ନେଇ ଘନଘନ ବୈଠକ: ଡିଜିଟାଲ ଦର୍ଶନ ଉପରେ ଗୁରୁତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତବର୍ଷ କୋଭିଡ କଟକଣାରେ ବିନାଭକ୍ତରେ ଅନୁଷ୍ଠିତ ହେବ ରଥଯାତ୍ରା । ରଥଯାତ୍ରା ଅୟୋଜନକୁ ନେଇ ଘନଘନ ବୈଠକ ଜାରି ରହୁଛି। ଗୁରୁବାର ଗଜପତି ମହାରାଜାଙ୍କ ଅଧକ୍ଷତାରେ ଭରଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଦୁଇଦିନ ପୂର୍ବରୁ ମୁଖ୍ୟ ଶାସନ ସଚିବ ମଧ୍ୟ ବୈଠକ କରି ରଥଯାତ୍ରା ଉପରେ ପ୍ରସ୍ତୁତି ସମୀକ୍ଷା କରିଥିଲେ। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ଭରଚୁଆଲ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଡିଜି ଏମ୍ ଅଭୟ,ଏସପି ବିଶାଲ ସିଂ ଓ ସେବାୟତ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ବିନାଭକ୍ତରେ ରଥଯାତ୍ରା ହେଉଥିବାରୁ ଡିଜିଟାଲ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଶୃଙ୍ଖଳିତ ନୀତିକାନ୍ତି ନେଇ ସେବାୟତ ଓ ପ୍ରଶାସନ ଭିତରେ କିଭଳି ଉତ୍ତମ ସମନ୍ୱୟ ବଜାୟ ରହିବ ସେନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ସେପଟେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଯଥା ପିଇବା ପାଣି ଠାରୁ ଆରମ୍ଭ କରି ଲାଇଟ୍,ପରିମଳ ବ୍ୟବସ୍ଥା,ସ୍ୱାସ୍ଥ୍ୟସେବା ଭଳି ସମସ୍ତ ବିଭାଗୀୟ ଅଧିକାରୀଙ୍କ କିଭଳି ପ୍ରସ୍ତୁତି କରିଛନ୍ତି ତାହା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଅନ୍ୟପଟେ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ପୁରୀ ସହରବାସୀଙ୍କ ସହଯୋଗ ଓ ସମର୍ଥନ ମୁଖ୍ୟମନ୍ତ୍ରୀ ଲୋଡିଛନ୍ତି ବୋଲି ମନ୍ତ୍ରୀ ମାନେ ଗଣମାଧ୍ୟମ ଆଗରେ କହିଛନ୍ତି।

Get real time updates directly on you device, subscribe now.