fbpx

RBIର ବଡ଼ କାର୍ଯ୍ୟାନୁଷ୍ଠାନ: SBI ଉପରେ ୨ କୋଟି ଜରିମାନା, ଆଉ ଏକ ବ୍ୟାଙ୍କର ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: ଅନେକ ସମୟରେ ଦେଶର ବିଭିନ୍ନ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ନିୟମ ଖିଲାପି ଓ ଅନ୍ୟ କିଛି କାରଣରୁ କିଛି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରାଯିବା ସହିତ ଆଉ କିଛି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରାଯାଇଥାଏ । ତେବେ ଏହା ମଧ୍ୟରେ ଦେଶର ସର୍ବବୃହତ ବ୍ୟାଙ୍କ (ଏସବିଆଇ) ଉପରେ ଆରବିଆଇ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବ୍ୟାଙ୍କିଂ ନିୟମ ଉଲ୍ଲଂଘନ କାରଣରୁ ଏସବିଆଇ ଉପରେ ୨ କୋଟି ଟଙ୍କାର ଜରିମାନା ଲାଗୁ କରିଛି କେନ୍ଦ୍ରୀୟ ବ୍ୟାଙ୍କ । ଡିପୋଜିଟର ଆୱାରନେସ ଫଣ୍ଡ ସ୍କିମ ୨୦୧୪ର କିଛି ନିୟମକୁ ଏସବିଆଇ ଉଲ୍ଲଂଘନ କରିଥିବା ଆରବିଆଇ ପକ୍ଷରୁ କୁହାଯାଇଛି । ତେବେ ଦେଶରେ ଏସବିଆଇର ପାଖାପାଖି ୪୪ କୋଟି ଗ୍ରାହକ ରହିଥିବା ବେଳେ ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ ସେମାନେ ଏବେ ଚିନ୍ତିତ ରହିଛନ୍ତି । ବ୍ୟାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ହେବା ପରେ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ରହିବ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ଏହା ଦ୍ୱାରା ଗ୍ରାହକମାନେ କୌଣସିମତେ ପ୍ରଭାବିତ ହେବେ ନାହିଁ । ଏ ବାବଦରେ ଆରବିଆଇ ତରଫରୁ ସ୍ପଷ୍ଟ କରାଯାଇଛି । ନିୟମ ଅବମାନନା କାରଣରୁ ଏସବିଆଇ ଉପରେ ଜରିମାନା ଲାଗୁ କରାଯାଇଛି । ତେଣୁ ଗ୍ରାହକଙ୍କର ଟ୍ରାଞ୍ଜାକସନ ସହ ଏହାର କୌଣସି ସମ୍ପର୍କ ନାହିଁ । ଏସବିଆଇର ସମସ୍ତ ସେବା ପୂର୍ବପରି ବଳବତ୍ତର ରହିବ । ସେହିପରି ଆଉ ଏକ ବ୍ୟାଙ୍କ ଉପରେ ଆରବିଆଇ ବଡ଼ ଆକ୍ସନ ନେଇଛି । ରାଜସ୍ଥାନର ପାଲୀ ସ୍ଥିତ ସୁମେରପୁର ମର୍ଚ୍ଚାଣ୍ଟାଇଲ ସହରୀ ସମବାୟ ବ୍ୟାଙ୍କର ଲାଇସେନ୍ସକୁ କେନ୍ଦ୍ରୀୟ ବ୍ୟାଙ୍କ ରଦ୍ଦ କରିଦେଇଛି । ପର୍ଯ୍ୟାପ୍ତ ପୁଞ୍ଜି ଓ ଆୟର ସମ୍ଭାବନା ନଥିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.