fbpx

RBIର ସତର୍କବାଣୀ: ପୁରୁଣା ପେନସନ ଯୋଜନା ଲାଗୁ ହେଲେ ରାଜ୍ୟର ଆର୍ଥିକ ସ୍ଥିତି ବିଗିଡ଼ିପାରେ, ପେନସନ ବୋଝ ୪.୫ ଗୁଣ ବଢ଼ିପାରେ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମରେ ବିଧାନସଭା ନିର୍ବାଚନ ହେବାର ଅଛି । ଏଭଳି ସ୍ଥିତିରେ ଭୋଟ ହାତେଇବା ଲକ୍ଷ୍ୟରେ ବିଭିନ୍ନ ରାଜ୍ୟନୈତିକ ଦଳମାନେ ଅନେକ ପ୍ରକାରର ନିର୍ବାଚନୀ ଘୋଷଣା କରିବାର ସମ୍ଭାବନା ରହିଛି । ତେବେ ଏହା ରାଜନୈତିକ ଦଳଗୁଡ଼ିକୁ ଫାଇଦା ଦେଉଥିବା ବେଳେ ରାଜ୍ୟ ରାଜକୋଷ ପାଇଁ ବୋଝରେ ପରିଣତ ହେବାର ଆଶଙ୍କା ରହିଛି । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ସତର୍କ କରାଯାଇଛି ।

ବର୍ତ୍ତମାନ ସମୟରେ କିଛି ରାଜ୍ୟ ପୁରୁଣା ପେନସନ ଯୋଜନାକୁ ପୁଣି ଥରେ ଲାଗୁ କରିବାକୁ ଦାବି କରୁଛନ୍ତି । ଏଥିସହିତ କିଛି ରାଜ୍ୟ ମଧ୍ୟ ନିଜ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିସାରିଲେଣି । ପୁରୁଣା ପେନସନ ଯୋଜନା ଲାଗୁ କରିବା ଫଳରେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଖରାପ ଆଡ଼କୁ ଗତି କରିପାରେ । ନୂଆ ପେନସନ ଯୋଜନା ତୁଳନାରେ ପୁରୁଣା ପେନସନ ଯୋଜନାରେ ସରକାରଙ୍କ ପେନସନ ବୋଝ ୪.୫ ଗୁଣ ବଢ଼ିବାର ଆଶଙ୍କା ରହିଛି । ଆଗକୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏଭଳି ସ୍ଥିତିରେ ରାଜନୈତିକ ଦଳମାନେ ପୁରୁଣା ପେନସନ ଯୋଜନାକୁ ଏକ ବଡ଼ ପ୍ରସଙ୍ଗ କରି ଜନତାଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି । ସେପ୍ଟେମ୍ବର ମାସ ପାଇଁ ଆରବିଆଇ ପକ୍ଷରୁ ପ୍ରକାଶିତ ବୁଲେଟିନରେ ଏନେଇ ଚେତାବନୀ ଦିଆଯାଇଛି ।

ପୁରୁଣା ପେନସନ ଯୋଜନା ଲାଗୁ ନେଇ ଆର୍ଥିକ ପ୍ରଭାବ ଉପରେ ଆରବିଆଇ ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା । ତେବେ ପୁରୁଣା ପେନସନ ଯୋଜନା ଲାଗୁ କରିବା ଫଳରେ ସ୍ୱଳ୍ପ କାଳରେ ରାଜ୍ୟଗୁଡ଼ିକର ପେନସନ ଖର୍ଚ୍ଚ ହ୍ରାସ ପାଇବ, ମାତ୍ର ଦୀର୍ଘକାଳୀନ ଭିତ୍ତିରେ ଏହା ଦ୍ରୁତ ଭାବେ ବୃଦ୍ଧି ପାଇବ । ୨୦୩୦ ସୁଦ୍ଧା ପୁରୁଣା ପେନସନ ଯୋଜନା କାରଣରୁ ହେବାକୁ ଥିବା ବୋଝ ଏନପିଏସର ଯୋଗଦାଠାରୁ ଅଧିକ ହୋଇଯିବ ଓ ତାହା ବଢ଼ିଚାଲିବ ବୋଲି ଉକ୍ତ ଅଧ୍ୟୟନ ଫଳାଫଳରୁ ଜଣାପଡ଼ିଛି ।

Get real time updates directly on you device, subscribe now.