ନୁଆଦିଲ୍ଲୀ: ଦେଶରେ ଦରଦାମର ନିରନ୍ତର ବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ମଙ୍ଗଳବାର ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆ(ଆରବିଆଇ) ରେପୋ ରେଟ ବୃଦ୍ଧି କରିଥିବା କହିଥିଲେ । ତେବେ ସୁତ୍ରରୁ ମିଳିିଥିବା ଖବର ମୁତାବକ କେନ୍ଦ୍ର ସରକାରଙ୍କୁ ପେଟ୍ରୋଲ ଏବଂ ଡିଜେଲରେ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିବାକୁ ମନାଇବାରେ ବିଫଳ ହେବାରୁ ରେପୋ ରେଟ ବୃଦ୍ଧି କରିଛନ୍ତି ।
ଉତ୍ତରପ୍ରଦେଶ ଏବଂ ଅନ୍ୟ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ମାର୍ଚ୍ଚ ମାସରେ ମାତ୍ର ୧୬ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ପ୍ରାୟ ୧୦ ଟଙ୍କା ବୃଦ୍ଧି ପାଇଥିଲା । ଯାହା ପୁର୍ବରୁ ବର୍ଦ୍ଧିତ ଦରଦାମକୁ ଆହୁରି ବୃଦ୍ଧି କରିଥିଲା ଏବଂ ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ପୀତି ୭ ପ୍ରତିଶତରେ ପହଁଞ୍ଚିଥିଲା । ତେବେ କେନ୍ଦ୍ରୀୟ ବ୍ୟାଙ୍କ ଖୁଚୁରା ମୁଦ୍ରାସ୍ପୀତିକୁ ୬ ପ୍ରତିଶତ ତଳେ ରଖିବାକୁ ୦.୪୦ ପ୍ରତିଶତ ରେପୋ ରେଟ ବୃଦ୍ଧି କରିଛନ୍ତି ।
ସୂଚନା ଅନୁସାରେ ରିଜର୍ଭ ବ୍ୟାଙ୍କ ପେଟ୍ରୋଲ ଏବଂ ଡିଜେଲ ଉପରେ ପୁନଃଶ୍ଚ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ, ଯାହାର ତୁରନ୍ତ ପ୍ରଭାବ ମୁଦ୍ରାସ୍ପୀତି ଉପରେ ପଡ଼ିଥାନ୍ତା । କିନ୍ତୁ କେନ୍ଦ୍ର ସରକାର ଏଥିରେ କୌଣସି ଉତ୍ତର ଦେଇ ନଥିଲେ । ସେହିପରି ବିଭିନ୍ନ ରାଜ୍ୟ ଗୁଡ଼ିକୁ ମଧ୍ୟ ଭାଟ୍ କମାଇବାକୁ ଆରବିଆଇ କହିଥିଲେ ମଧ୍ୟ ଏହାର କୌଣଶି ପ୍ରଭାବ ପଡ଼ି ନଥିଲା ବୋଲି ସୁତ୍ରରୁ ଜଣା ପଡ଼ିଛି ।
ଏହା ପରେ ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆ ଏକାକୀ ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେବାକୁ ନିଷ୍ପତି ନେଇଥିଲା । ଆରବିଆଇର ୬ ଜଣିଆ ମନିଟାରୀ ପଲିସି କମିଟି ମଙ୍ଗଳବାର ରେପୋରେଟ୍ ବୃଦ୍ଧି କରିଥିଲେ । ଏହାସହ ନଗଦ ରିଜର୍ଭ ଅନୁପାତ(ସିଆରଆର)କୁ ୦.୫୦ ପ୍ରତିଶତ ବୃଦ୍ଧି କରିଥିଲେ ।
ଗତ ବର୍ଷ ମୁଦ୍ରାସ୍ଫୀତି ରୋକିବା ପାଇଁ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୫ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୧୦ ଟଙ୍କା ହ୍ରାସ କରିଥିଲେ।