fbpx

ରାମ ମନ୍ଦିରରେ ନିଯୁକ୍ତି ସୁଯୋଗ: ଅନଲାଇନରେ କରାଯିବ ଆବେଦନ, ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ପୂଜାରୀ ପଦ ପାଇଁ ଏକ ନୋଟିଫିକେସନ ଜାରି କରାଯାଇଛି । ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆଶାୟୀ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ । ଅକ୍ଟୋବର ୩୧ ଆବେଦନର ଅନ୍ତିମ ତାରିଖ ରହିଛି । ପରୀକ୍ଷା ପରେ ପ୍ରାର୍ଥୀଙ୍କୁ ୬ ମାସର ଟ୍ରେନିଂ ଦିଆଯିବ । ଟ୍ରେନିଂ ସମୟରେ ପ୍ରାର୍ଥୀଙ୍କୁ ମାସିକ ୨ ହଜାର ଟଙ୍କା ପ୍ରଦାନ କରାଯିବ ।

ଆସନ୍ତା ବର୍ଷ ଜାନୁଆରୀ ମାସ ୨୨ ତାରିଖରେ ଭଗବାନ ଶ୍ରୀରାମଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବାର ସମ୍ଭାବନା ରହିଛି । ଏହି ଅବସରରେ ମନ୍ଦିରର ବିସ୍ତାର ଓ ଶ୍ରଦ୍ଧାଳୁଙ୍କର ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପୂଜାପାଠ ପାଇଁ ପୂଜାରୀଙ୍କୁ ନିଯୁକ୍ତି ଦେବା ପାଇଁ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ରାମଲଲାଙ୍କ ପୂଜାର୍ଚ୍ଚନା ବୈଷ୍ଣବ ମତର ରାମାନନ୍ଦୀୟ ପରମ୍ପରା ଦ୍ୱାରା ହୋଇଥାଏ । ତେଣୁ ଏପରି ସ୍ଥଳେ ପୂଜାରୀ ପଦ ପାଇଁ ଆବେଦନ କରୁଥିବା ଆଶାୟୀ ଗୁରୁକୁଳ ଶିକ୍ଷା ପ୍ରାପ୍ତ କରିବା ସହିତ ରାମାନନ୍ଦୀୟ ପରମ୍ପରାରେ ଦୀକ୍ଷା ଲାଭ କରିଥିବା ଆବଶ୍ୟକ । ଟ୍ରେନିଂ ପରେ ପୂଜାରୀଙ୍କୁ ଚୟନ କରାଯିବ । ରାମ ମନ୍ଦିର ସେବା ପାଇଁ ଖୁବଶୀଘ୍ର କିଛି ପୂଜାରୀ ପଦରେ ନିଯୁକ୍ତି ଦିଆଯିବ । ଏହି ପଦଗୁଡ଼ିକ ପାଇଁ ଅଯୋଧ୍ୟା କ୍ଷେତ୍ରର ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ । ପ୍ରବେଶ ପରୀକ୍ଷା ପରେ ସିଲେକ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ୬ ମାସ ପର୍ଯ୍ୟନ୍ତ ଟ୍ରେନିଂ ଦିଆଯିବ ଓ ତା’ପରେ ନିଯୁକ୍ତି ଦିଆଯିବ ବୋଲି ନୋଟିଫିକେସନରେ କୁହାଯାଇଛି ।

Get real time updates directly on you device, subscribe now.