fbpx

ଜଳ ସଂକଟରୁ ମିଳିବ ମୁକ୍ତି… ବର୍ଷାରେ ନୂଆ ଜୀବନ ପାଇବେ ବେଙ୍ଗଲୁରୁ ବାସିନ୍ଦା

ବେଙ୍ଗଲୁରୁ: ଭାରତର ସିଲିକନ୍ ଭ୍ୟାଲେ ବେଙ୍ଗଲୁରୁ ସହର ପାଇଁ ଲାଗି ରହିଛି ବିପଦ । ଜଳ ସଂକଟରେ ଲୋକେ ଛଟପଟ ହେଉଥିବା ବେଳେ ଗ୍ରୀଷ୍ମପ୍ରବାହ ସହରବାସୀଙ୍କୁ ଆହୁରି କଲବଲ କରୁଛି । ଖରା ଏବଂ ଜଳାଭାବ ଭିତରେ ବର୍ତ୍ତମାନ ଲୋକମାନେ ପାଇଁ ଏକ ସୁନ୍ଦର ପାଗ ଦେଖିବାକୁ ପାଇବେ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଯାଇଛି । IMD ପକ୍ଷରୁ ଜାରି ହୋଇଥିବା ସାପ୍ତାହିକ ରିପୋର୍ଟରେ କୁହାଯାଇଛି ଯେ, ଖୁବଶୀଘ୍ର ବେଙ୍ଗଲୁରୁ ବାସୀ ଭୀଷଣ ଖରା ଦାଉରୁ ମୁକ୍ତି ପାଇବେ ।

ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଭଳି ଦକ୍ଷିଣ ଉପଦ୍ୱୀପରେ ଗତ କିଛି ଦିନରୁ ବର୍ଷା ଯୋଗୁଁ ଖରାର ପ୍ରଭାବରୁ ତ୍ରାହି ମିଳିଛି । ତେବେ ପାଣିପାଗ ବିଭାଗ ଅନୁସାରେ, ଆସନ୍ତା ସପ୍ତାହର ଅଧିକାଂଶ ଦିନ ପାଗ କୋହଲା ରହିବ । ଗତକାଲି କର୍ଣ୍ଣାଟକର ଉତ୍ତରାଞ୍ଚଳରେ ହାଲକା ବର୍ଷା ହୋଇଥିବା ବେଳେ ଆସନ୍ତାକାଲି(ମାର୍ଚ୍ଚ-୨୦) ରାଜ୍ୟର ଦକ୍ଷିଣ ଭାଗରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲିଠାରୁ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକର ଚାମରାଜନଗର, ଚିକ୍କାମାଗାଲୁରୁ, ଦକ୍ଷିଣ କନ୍ନଡ଼ ସମେତ ହସନ୍, କୋଡାଗୁ, ମାଣ୍ଡ୍ୟା, ମାଇସୁରୁ, ଟୁମକୁରୁ ଏବଂ ବେଙ୍ଗଲୁରୁ ଆଦି ଜିଲ୍ଲାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଏହି ବର୍ଷା ବେଙ୍ଗଲୁରୁବାସୀଙ୍କ ପାଇଁ ଭୀଷଣ ଖରାରୁ ମୁକ୍ତି ଦେବ ବୋଲି କୁହାଯାଇଛି । ଏହି ବର୍ଷା ଫଳରେ ରାଜ୍ୟରେ ବଢୁଥିବା ତାପମାତ୍ରାରେ ହ୍ରାସ ଘଟିବା ସହ ଜଳ ସଂକଟ ଭଳି ସମସ୍ୟାର ମଧ୍ୟ କିଛି ପରିମାଣରେ ସମାଧାନ ହୋଇପାରେ । ସାଧାରଣତଃ ମୌସୂମୀ ପୂର୍ବରୁ ମାର୍ଚ୍ଚରୁ ମେ’ ମଧ୍ୟରେ କର୍ଣ୍ଣାଟକରେ ଭଲ ବର୍ଷା ହୁଏ । ରିପୋର୍ଟ ଅନୁସାରେ, ୧୮ ଦିନ ଧରି ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ପ୍ରବଳ ବର୍ଷା ବ୍ୟତୀତ ଏଲ୍ ନିନୋ ୨୦୨୩ ମସିହାରେ ସାରା ରାଜ୍ୟରେ ବର୍ଷା ଅଭାବ ସୃଷ୍ଟି କରିଥିଲା, ଯାହାକି ଏବେବି ଏହି ଅଞ୍ଚଳକୁ ପ୍ରଭାବିତ କରୁଛି । ମାର୍ଚ୍ଚ ୧ ତାରିଖରୁ ୧୭ ତାରିଖ ମଧ୍ୟରେ କର୍ଣ୍ଣାଟକରେ ଖୁବ କମ୍ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ତେବେ ମୌସୂମୀ ପୂର୍ବରୁ ବେଙ୍ଗଲୁରୁ ଏବଂ କର୍ଣ୍ଣାଟକର ଦକ୍ଷିଣ ଅଞ୍ଚଳରେ ଏହି ବର୍ଷା ଜଳ ସଂକଟରୁ ଆଶ୍ୱସ୍ତି ଦେବ ।

କିଛି ବର୍ଷ ମଧ୍ୟରେ ସ୍ୱଳ୍ପ ବର୍ଷା ଏବଂ ମାନବକୃତ ଜଳବାୟୁ ପରିବର୍ତ୍ତନ ଫେବୃଆରୀ ଏବଂ ମାର୍ଚ୍ଚରେ ବେଙ୍ଗାଲୁରୁବାସୀ ଭୀଷଣ ଗରମରେ ଛଟପଟ ହେଉଛନ୍ତି । ବିଭିନ୍ନ ସ୍ଥାନରେ ଜଳସ୍ତର କମ୍ ହେଉଥିବାରୁ ଜଳ ଯୋଗାଣ ଉପରେ ଏହାର ପ୍ରଭାବ ପଡ଼ିବା ସହ ଏହାର ମୂଲ୍ୟରେ ମଧ୍ୟ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି । ପରିସ୍ଥିତିର ମୁକାବିଲା ପାଇଁ ସରକାରୀ କର୍ତ୍ତୃପକ୍ଷ ନେଉଛନ୍ତି ୱାଟର ଟ୍ୟାଙ୍କରକୁ ନିୟନ୍ତ୍ରଣ କରିବା ଏବଂ ଜଳର ମୂଲ୍ୟ ସୀମିତ କରିବା ଭଳି ଜରୁରୀକାଳୀନ ପଦକ୍ଷେପ ।

Get real time updates directly on you device, subscribe now.