fbpx

ବିଶିଷ୍ଟ ଜ୍ୟୋତିର୍ବିଦ ଟିକେଶ୍ୱର ଗୁରୁଙ୍କ ପରଲୋକ

ନୂଆଦିଲ୍ଲୀ: ଆସିଛି ଏକ ଦୁଃଖ ଖବର । ରାଜ୍ୟର ଜଣେ ବିଶିଷ୍ଟ ଜ୍ୟୋତିର୍ବିଦଙ୍କ ପରଲୋକ ଘଟିଛି । ବଲାଙ୍ଗିରର ବିଶିଷ୍ଟ ଜ୍ୟୋତିର୍ବିଦ ଟିକେଶ୍ୱର ଗୁରୁ ଆଉ ନାହାନ୍ତି । ୮୮ ବର୍ଷ ବୟସରେ ଶ୍ରୀ ଗୁରୁଙ୍କର ପରଲୋକ ଘଟିଛି । ଖରାପ ସ୍ୱାସ୍ଥ୍ୟାବସ୍ଥା କାରଣରୁ ଗତ କିଛିଦିନ ଧରି ସେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିବା ଜଣାପଡ଼ିଛି ।

ଶ୍ରୀ ଗୁରୁଙ୍କ ମୃତ୍ୟୁରେ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ବଲାଙ୍ଗିର ବିଭୁତିପଡ଼ା ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା । ତାଙ୍କର ଦୁଇ ପୁଅ ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ଘଣ୍ଟେଶ୍ୱର ଗୁରୁ ଓ ବରିଷ୍ଠ ସାମ୍ବାଦିକ ହିମାଂଶୁ ଗୁରୁ ମୁଖାଗ୍ନି ଦେଇଥିଲେ । ଶ୍ରୀ ଗୁରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଓ ବିଶ୍ୱ ହିନ୍ଦୁ ପରିଷଦର ଏକାଧିକ ପଦରେ ରହି କାର୍ଯ୍ୟ କରିଥିଲେ ।

ବୟସ ଅଧିକ ହୋଇଥିଲେ ବି ସେ ତାହାକୁ ଖାତିର ନକରି ସର୍ବଦା ଚଳଚଞ୍ଚଳ ରହିଥିଲେ । ୮୮ ବର୍ଷ ବୟସରେ ବି ସେ ଦୈନିକ ଆରଏସଏସ ଶାଖାକୁ ଯାଉଥିଲେ । ନିକଟରେ ଆରଏସଏସ ପ୍ରହାର ଯଜ୍ଞରେ ସେ ବେଶ୍ ଆକର୍ଷଣୀୟ ଢଙ୍ଗରେ ଲାଠିଚାଳନା କରିଥିଲେ । ଲାଠିଚାଳନାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ନିର୍ଭୁଲ ଜ୍ୟୋତିଷ ଶାସ୍ତ୍ର ଗଣନା ପାଇଁ ସେ ଅନେକ ପୁରସ୍କାର ପାଇଥିଲେ । ତାଙ୍କୁ ଜ୍ୟୋତିଷ ଆଚାର୍ଯ୍ୟ, ସଂସ୍କୃତାଚାର୍ଯ୍ୟ, ଅଧ୍ୟାପନା ବିଶାରଦ ଆଦି ବହୁ ରାଜ୍ୟ ଓ ଜାତୀୟ ସ୍ତରୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ଜଣେ ଶାନ୍ତ, ନମ୍ର ଓ ଭଦ୍ର ବ୍ୟକ୍ତି ଭାବେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ ।

Get real time updates directly on you device, subscribe now.