ହ୍ରାସ ହେଲା ରେପୋ ରେଟ୍‌, ୨୫ ବେସିସ୍ ପଏଣ୍ଟ କମାଇଲା RBI

ଶସ୍ତା ହେବ ଋଣ । କମିବ EMI । ପାଞ୍ଚ ବର୍ଷରେ ପ୍ରଥମ ଥର ରେପୋ ରେଟକୁ ୦.୨୫% ହ୍ରାସ କଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ।

ନୂଆଦିଲ୍ଲୀ: ଖସିଲା ରେପୋ ରେଟ୍ । ପାଞ୍ଚ ବର୍ଷ ପରେ ରେପୋ ରେଟ୍ ଖସିଥିବା ସୂଚନା ଦେଲେ ଆରବିଆଇ ଗଭର୍ନର ସଞ୍ଜୟ ମଲହୋତ୍ରା ।

ରୋପୋ ରେଟ୍ ୬.୫%ରୁ ୬.୨୫%କୁ ଖସିଲା । ମୁଦ୍ରାନୀତି ବିବୃତ୍ତି ଉପରେ ଆରବିଆଇ ଗଭର୍ନରଙ୍କ ସୂଚନା ।

ଶସ୍ତା ଋଣ: ଶୁକ୍ରବାର ଆରବିଆଇର ମନିଟାରୀ ପଲିସି ମିଟିଂ ଶେଷ ହୋଇଛି । ଆରବିଆରର ନୂତନ ଗଭର୍ନର ସଞ୍ଜୟ ମଲହୋତ୍ରାଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଏହି ବୈଠକରେ ରେପୋ ରେଟକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୬.୨୫% କରିଛନ୍ତି ।

ଖର୍ଚ୍ଚ ବୃଦ୍ଧି ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ଲକ୍ଷରେ ଆରବିଆଇ ଏହି ନିଷ୍ପତ୍ତି ନେଇଛି ଯଦ୍ୱାରା ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି ।

ଏହି ନିଷ୍ପତ୍ତି ପରେ ଲୋକଙ୍କୁ ଶସ୍ତାରେ ଋଣ ମିଳିବା ସହ ଇଏମଆଇ ବୋଝ ମଧ୍ୟ କମିଯିବ ।

ରେପୋ ରେଟ୍ କ’ଣ?

ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ ରିଜର୍ଭ ବ୍ୟାଙ୍କ ଅନ୍ୟ ବ୍ୟାଙ୍କଗୁଡ଼ିକୁ ଟଙ୍କା ଋଣ ଦେଇଥାଏ । ଯଦି RBI କମ୍ ହାରରେ ଟଙ୍କା ଋଣ ଦିଏ, ତେବେ ବ୍ୟାଙ୍କଗୁଡ଼ିକ ମଧ୍ୟ ଗ୍ରାହକମାନଙ୍କୁ କମ୍ ହାରରେ ଋଣ ପ୍ରଦାନ କରନ୍ତି ।

ଏଥିରେ ଗୃହ ଋଣ, କାର ଋଣ, ବ୍ୟକ୍ତିଗତ ଋଣ ଇତ୍ୟାଦି ଅନ୍ତର୍ଭୁକ୍ତ। ରେପୋ ହାର ହ୍ରାସ ଦ୍ୱାରା ମଧ୍ୟବିତ୍ତ ବର୍ଗକୁ ଏକ ବଡ଼ ଲାଭ ମିଳିଥାଏ, କାରଣ ଏହା EMI ର ବୋଝ ହ୍ରାସ କରିଥାଏ। ଅନ୍ୟପକ୍ଷରେ, ବଜାରରେ ଲିକ୍ୱିଡିଟି ମଧ୍ୟ ବୃଦ୍ଧି ପାଏ ।

କାହିଁକି ରେପୋ ରେଟ୍ ହ୍ରାସ କରାଯାଯାଏ ?

ଦେଶର ଅର୍ଥନୀତି ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିଲେ ମନି ଫ୍ଲୋକୁ ବୃଦ୍ଧି କରି ଏହାକୁ ରିକଭର କରିବାକୁ ପଡ଼ିଥାଏ । ଏଭଳି ସ୍ଥିତିରେ ଆରବିଆଇ ସୁଧ ହାର ହ୍ରାସ କରିଥାଏ ।

ଅପରପକ୍ଷରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଲେ ଆରବିଆଇ ରେପୋ ରେଟ୍ ବୃଦ୍ଧି କରି ମନି ଫ୍ଲୋକୁ ହ୍ରାସ କରିଥାଏ ।