ବାତିଲ ହେଲା RI, ARI, ଅମିନ, ICDS ପରୀକ୍ଷା; ପରୀକ୍ଷାର୍ଥୀ ଅସନ୍ତୋଷ

RI - ଅମିନ ପରୀକ୍ଷା ହେଲା ବାତିଲ। ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରୀକ୍ଷା ଆଉ ଥରେ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି।

ଭୁବନେଶ୍ବର: RI – ଅମିନ ପରୀକ୍ଷା ହେଲା ବାତିଲ। ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରୀକ୍ଷା ଆଉ ଥରେ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି। ୨୮୯୫  ପଦବି ଖାଲି ଥିଲା। ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ପିଲା ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ। ସେଥିରୁ ୨ ଲକ୍ଷ ୯୩ ହଜାର ପରୀକ୍ଷା ଦେଇଥିଲେ।

ପରୀକ୍ଷାରେ ଅନିୟମିତତା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିବା ପରେ OSSSC ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ମୁଖ୍ୟ ପରୀକ୍ଷାକୁ ଉତ୍ତୀର୍ଣ୍ଣ କରାଯାଇଥିଲା। ଏହା ପରେ କିଛି ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସରକାରୀ ନିଯୁକ୍ତି ବିଜ୍ଞପ୍ତି ଅନୁଯାୟୀ ଧାରା ୧୦କୁ ଏହା ଉଲଂଘନ କରୁଛି ବୋଲି କୋର୍ଟରେ ଅଭିଯୋଗ ହୋଇଥିଲା। ଆବେଦନକାରୀଙ୍କ ଆଇନଜୀବୀ ବିପ୍ଳବ ବାହାଲି ଓ ରାଜେନ୍ଦ୍ର କୁମାର ସାହୁ ଏହା କୋର୍ଟଙ୍କୁ ଦର୍ଶାଇଥିଲେ। ରାଜ୍ୟ ସରକାରଙ୍କ ତରଫରୁ ଆଡ଼ଭୋକେଟ୍ ଜେନେରାଲ ମାମଲା ପରିଚାଳନା କରିଥିଲେ।

୨୦୨୫ ଅଗଷ୍ଟ ୧ ତାରିଖ ଠାରୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପରୀକ୍ଷା ହେବାର କାର୍ଯ୍ୟକ୍ରମ ଥିଲା। ଏଥି ପାଇଁ ପରୀକ୍ଷାର୍ଥୀମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିଲେ। ଓଏସ୍‌ଏସ୍‌ଏସ୍‌ସି ଦ୍ବାରା ୱେବ୍‌ସାଇଟ୍‌ରେ ଆଡମିଟ୍‌ କାର୍ଡ ମଧ୍ୟ କିଛି ଦିନ କରାଯାଇଥିଲା। ଏବେ ପରୀକ୍ଷା ପରୀକ୍ଷା ବାତିଲ ହୋଇଯିବା ପରେ ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ମନରେ ଅସନ୍ତୋଷ ଦେଖାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରିଲିମିନାରୀ ପରୀକ୍ଷାରେ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଥିଲା। ଏହାକୁ ନେଇ ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳସ୍ୱରୂପ ଓଏସ୍‌ଏସ୍‌ଏସ୍‌ସି ଏକ ଅଭୂତପୂର୍ବ ନିଷ୍ପତ୍ତି ନେଇ ପ୍ରିଲିମ୍‌ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ପାସ୍‌ ଘୋଷଣା କରି ମେନ୍‌ ପରୀକ୍ଷାରେ ଅଂଶଗ୍ରହଣ କରିବାର ସୁଯୋଗ ଦେଇଥିଲା।

ଏହି ନିଷ୍ପତ୍ତି ଅନୁଯାୟୀ, ପ୍ରାୟ ୫ ଲକ୍ଷ ପରୀକ୍ଷାର୍ଥୀ ମେନ୍‌ ପରୀକ୍ଷା ପାଇଁ ଯୋଗ୍ୟ ହୋଇଥିଲେ। କିନ୍ତୁ ଓଏସ୍‌ଏସ୍‌ଏସ୍‌ସିର ବିଜ୍ଞପ୍ତି ଅନୁସାରେ, ମେନ୍‌ ପରୀକ୍ଷା ପାଇଁ ଖାଲି ପଦବିର ୫ ଗୁଣ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯିବାର ନିୟମ ଥିଲା। ଏହି ନିୟମର ଉଲ୍ଲଂଘନ ହେତୁ କିଛି ପ୍ରାର୍ଥୀ ଓଡ଼ିଶା ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ।

ହାଇକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଏଜି ପିତାମ୍ବର ଆଚାର୍ଯ୍ୟ କୋର୍ଟଙ୍କୁ ଜଣାଇଛନ୍ତି ଯେ, ଓଏସ୍‌ଏସ୍‌ଏସ୍‌ସି ପୂର୍ବ ପରୀକ୍ଷା ବାତିଲ କରି ନୂଆ ସାନି ପ୍ରିଲିମ୍‌ ପରୀକ୍ଷା ଆୟୋଜନ କରିବ। ନୂଆ ପରୀକ୍ଷା ସୁଷ୍ଠୁ ଓ ନିରପେକ୍ଷ ଭାବେ ପରିଚାଳନା କରାଯିବ ବୋଲି ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ପରୀକ୍ଷାର ସମୟସୂଚୀ ଓ ଅନ୍ୟାନ୍ୟ ସୂଚନା ଶୀଘ୍ର ଓଫିସିଆଲ ୱେବସାଇଟ www.osssc.gov.in ରେ ପ୍ରକାଶ କରାଯିବ।