fbpx

ରିକ୍ସା ଚାଳକଙ୍କ ଉପରେ ୩ କୋଟି ଟଙ୍କା ଟ୍ୟାକ୍ସ ଚୋରୀ ଅଭିଯୋଗ, ପହଞ୍ଚିଲା ଆୟକର ବିଭାଗର ନୋଟିସ୍

Advertisement

ମଥୁରା: ରିକ୍ସା ଚଲାଇ ପେଟ ପୋଷୁଥିବା ଜଣେ ରିକ୍ସା ଚାଳକ ପାଖରେ ପହଞ୍ଚିଛି ଆୟକର ବିଭାଗର ନୋଟିସ୍ । ୩ କୋଟି ଟଙ୍କାର ଟ୍ୟାକ୍ସ ଚୋରୀ କରିଥିବା ଅଭିଯୋଗ ଆସିଛି ସାମାନ୍ୟ ରିକ୍ସା ଚଳାଇ ଯଙ୍କା ରୋଜଗାର କରୁଥିବା ରିକ୍ସା ବାଲାଙ୍କ ଉପରେ । ତେବେ ଏହି ରିକ୍ସା ଚାଳକ ଜଣକ ହେଉଛନ୍ତି ମଥୁରାର ପ୍ରତାପ ସିଂ । ୩ କୋଟି ଟଙ୍କାର ଆୟକର ନୋଟିସ୍ ପହଞ୍ଚିବା ପରେ ପ୍ରତାପ ତାଜୁବ୍ ହୋଇଯାଇଛନ୍ତି । ନୋଟିସ୍ ପହଞ୍ଚିବା ପରେ ପ୍ରତାପ ପ୍ରଥମେ ପୋଲିସ୍ ପାଖକୁ ଯାଇ ଏ ସମ୍ପର୍କରେ ଜଣାଇଥିଲେ ।

ପୋଲିସ୍ ରିକ୍ସାବାଲାର କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ହେଲେ ଛାନଭିନ୍ ରୁ ଜଣାପଡ଼ିଥିଲା ଯେ, ପାନ୍ କାର୍ଡ ପାଇଁ ଆବେଦନ କରିଥିବା ବେଳେ କିଏ ଜଣେ ପ୍ରତାପଙ୍କ ସହିତ ଏପରି କାରନାମା କରିଛି । ପ୍ରତାପ, ପୋଲିସ୍ ପାଖରେ ଏନେଇ ଅଭିଯୋଗ କରିବା ପରେ ପୋଲିସ୍ ଏହି ମାମଲାର ତଦନ୍ତ କରୁଛି । ମଥୁରା ଥାନା ହାଇୱେ ଅଞ୍ଚଳରେ ରହୁଥିବା ରିକ୍ସାବାଲା ପ୍ରତାପ ସିଂ ୬ ମାସ ତଳେ ପାନ୍ କାର୍ଡ ପାଇର୍ ଆବେଦନ କରିଥିଲେ । ହେଲେ ଆବେଦନ ପରେ ବି ପାନ୍ କାର୍ଡ ମିଳିନଥିଲା । ୩ ଦିନ ତଳେ ଅଚାନକ ତାଙ୍କ ପାଖକୁ ଇନମକ୍ ଟ୍ୟାକ୍ସ ନୋଟିସ୍ ଆସିଥିଲା ।

ନୋଟିସ୍ ପାଇବା ପରେ ପ୍ରତାପ ଆୟକର ବିଭାଗକୁ ଯାଇ ଯୋଗାଯୋଗ କରିଥିଲେ । ହେଲେ ସେଠାରେ ଅଧିକାରୀ ମାନଙ୍କ ପ୍ରତିକ୍ରିୟା ତାଙ୍କୁ ଅଡ଼ୁଆରେ ପକାଇଦେଇଥିଲା । କାରଣ ଅଧିକାରୀ ମାନେ କହିଥିଲେ ଯେ, ପ୍ରଥମେ ଟଙ୍କା ଜମା କର । ନଚେତ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରତାପ ଯେତେବେଳେ ନିଜର ଆର୍ଥିକ ପରିସ୍ଥିତି ସମ୍ପର୍କରେ ଜଣାଇଥିଲେ । ସେତେବେଳେ ଅଧିକାରୀ ମାନେ ପୋଲିସ୍ ପାଖକୁ ଯିବାକୁ କହିଥିଲେ । ତେବେ ପୋଲିସ୍ ଏନେଇ ଯାଞ୍ଚ ଜାରି ରଖିଛି । ଫ୍ରଡ୍ କରିଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ୍ ।

Get real time updates directly on you device, subscribe now.