fbpx
BSKY
BJD SHG SKY
BJD YOUTH SKY

ଉପଯୁକ୍ତ ଭାବନା, ବାସ୍ତବ ସମାଧାନ ଓ ଉଚିତ ପଦକ୍ଷେପ ଭାରତକୁ ଯଥା ସ୍ଥାନରେ ପହଞ୍ଚାଇବାରେ ସହାୟକ ହେବ: କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେକ୍ଷୀ

ଓଡ଼ିଶା ଭାସ୍କର: ଭୁବନେଶ୍ୱରରେ ଚାଲିଥିବା ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକର ଆଜି ଶେଷ ଦିନରେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେକ୍ଷୀ କହିଛନ୍ତି, ଉପଯୁକ୍ତ ଭାବନା, ବାସ୍ତବ ସମାଧାନ ଏବଂ ଉଚିତ ପଦକ୍ଷେପ ଭାରତକୁ ଯଥାସ୍ଥାନରେ ପହଞ୍ଚାଇବାରେ ସହାୟକ ହେବ । ଗଣମାଧ୍ୟମକୁ ଶ୍ରୀମତୀ ଲେକ୍ଷୀ କହିଛନ୍ତି, ଅମୃତକାଳ ସମୟରେ ଭାରତକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ କଠିନ ପରିଶ୍ରମ କରିବାକୁ ହେବ । ସେ କହିଛନ୍ତି, ସଂସ୍କୃତି ସମସ୍ତଙ୍କୁ ସାଙ୍ଗରେ ଯୋଡ଼ିବାର ଏକ ମାଧ୍ୟମ । ଶାନ୍ତି ଓ ବନ୍ଧୁତା ସ୍ଥାପନ ଦିଗରେ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି ।

ମିନାକ୍ଷୀ ଲେକ୍ଷୀଙ୍କ ସମେତ ବିଭିନ୍ନ ଦେଶରୁ ଯୋଗଦେଇଥିବା ପ୍ରତିନିଧି ଦଳ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ କରିଛନ୍ତି । ଏହାସହ ଖୋର୍ଦ୍ଧାଜିଲ୍ଲା ହୀରାପୁର ସ୍ଥିତ ୬୪ ଯୋଗିନୀ ମନ୍ଦିର ମଧ୍ୟ ଭ୍ରମଣ କରିଛନ୍ତି । ଏହି ଦଳ ଭୁବନେଶ୍ୱରସ୍ଥିତ ଗାନ୍ଧୀ ଶାନ୍ତିକେନ୍ଦ୍ର ବୁଲି ଦେଖିବା ସହ ଡିଜିଟାଲ ସଂଗ୍ରହାଳୟକୁ ମଧ୍ୟ ପରିଦର୍ଶନ କରିଛନ୍ତି । ସୂଚନା ଅନୁସାରେ ଗତକାଲି ବୈଠକରେ ଭାରତର ଜି-୨୦ ଅଧ୍ୟକ୍ଷତା କାଳରେ ‘ସାଂସ୍କୃତିକ ଓ ସୃଜନଶୀଳ ଶିଳ୍ପର ପ୍ରୋତ୍ସାହନ ଏବଂ ସୃଜନଶୀଳ ଅର୍ଥବ୍ୟବସ୍ଥା ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ’ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଏହି ତୃତୀୟ ବୈଠକ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିଲା । ଏହି ଅବସରରେ ଭୁବନେଶ୍ୱର କଳାଭୂମି ସ୍ଥିତ ହସ୍ତଶିଳ୍ପ ସଂଗ୍ରହାଳୟରେ
ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି ।

Get real time updates directly on you device, subscribe now.