ନୂଆଦିଲ୍ଲୀ: ଆଜି ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ବୋଲିଂ ଡିପାର୍ଟମେଣ୍ଟରେ ସୁନ୍ଦର ପ୍ରଦର୍ଶନ ପରେ ବ୍ୟାଟିଂରେ ମଧ୍ୟ ନିଜ ଜଲୱା ଦେଖାଇଛି ରୋହିତ ସେନା । ବିଶେଷ କରି ଯୁବ ବ୍ୟାଟର ଯଶସ୍ୱୀ ଜଏସ୍ୱାଲ ଏକ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି । ପ୍ରଥମ ମ୍ୟାଚର ଶେଷ ସେଶନରେ ଦ୍ରୁତ ଗତିରେ ବ୍ୟାଟିଂ କରି ଟିମ ଇଣ୍ଡିଆକୁ ବଡ଼ ସ୍କୋରର ଆଶା ଦେଇଛନ୍ତି ଯଶସ୍ୱୀ । କିନ୍ତୁ ଏହି ମ୍ୟାଚ ପରେ ଦଳର ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱୀନଙ୍କର ଏକ ବୟାନ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଟିମ ଇଣ୍ଡିଆକୁ ଋଷଭ ପନ୍ତ ପୁଣିଥରେ ଫେରି ଆସିଥିବା କହିଛନ୍ତି ଅଶ୍ୱୀନ ।
ଆଜିର ଖେଳ ସରିବା ପରେ ଯଶସ୍ୱୀ ଜଏସ୍ୱାଲଙ୍କ ବ୍ୟାଟିଂ ବିଷୟରେ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଯଶସ୍ୱୀଙ୍କ ବ୍ୟାଟିଂ ମୋତେ ଋଷଭଙ୍କ ବ୍ୟାଟିଂ ଏବଂ ତାଙ୍କ ଷ୍ଟାଇଲ ବିଷୟରେ ମନେ ପକାଇ ଦେଉଛି । ଯଶସ୍ୱୀ ବ୍ୟାଟିଂ କରିବା ବେଳେ ମନେ ହେଉଛି, ଯେପରି ଋଷଭ ହିଁ ପଡ଼ିଆରେ ବ୍ୟାଟିଂ କରୁଛନ୍ତି । ତେବେ ଆଗକୁ ବାମହାତୀ ସ୍ପିନରଙ୍କ ବିପକ୍ଷରେ ଯଶସ୍ୱୀ ଏବଂ ଋଷଭ ଏକାଠି ବ୍ୟାଟିଂ କରୁଥିବାର ଦେଖିବା ମଜାଦାର ରହିବ ବୋଲି କହିଛନ୍ତି ଅଶ୍ୱୀନ ।
ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ ପ୍ରଥମ ଦିନରେ ଯଶସ୍ୱୀ ୭୦ ବଲରୁ ୭୬ ରନ୍ ସଂଗ୍ରହ କରିଛନ୍ତି । ଏହି ଇନିଂସରେ ସେ ୯ଟି ଚୌକା ଏବଂ ୩ଟି ଛକା ସହ ଏବେ ବି ଅପରାଜିତ ରହିଛନ୍ତି । ଆସନ୍ତାକାଲି ଶୁଭମନ ଗିଲଙ୍କ ସହ ସେ ପୁଣିଥରେ ପାଳି ଆରମ୍ଭ କରିବେ । ବିସ୍ଫୋରକ ବ୍ୟାଟିଂ କରି ସେ ଟେଷ୍ଟ କ୍ୟାରିୟରରେ ଆଉ ଏକ ଶତକ ହାସଲ କରିବା ଦିଗରେ ଆଗେଇ ଚାଲିଛନ୍ତି ।
ପ୍ରଥମ ଟେଷ୍ଟରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ । ତେବେ ଭାରତୀୟ ସ୍ପିନରଙ୍କ ଆଗରେ ଇଂଲଣ୍ଡର ବେଜବଲ ବ୍ୟାଟିଂ ଏକଦମ ଫିକା ପଡ଼ିଛି । ମାତ୍ର ୨୪୬ ରନରେ ଦଳ ଅଲଆଉଟ ହୋଇ ପାଭିଲିୟନ ଫେରିଛି । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱୀନ ଏବଂ ରବିନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅନ୍ୟତମ ସ୍ପିନର ଅକ୍ସର ପଟେଲ ୨ଟି ସଫଳତା ପାଇଛନ୍ତି । ତେବେ ଉପଅଧିନାୟକ ଜଶପ୍ରୀତ ବୁମରାହ ମଧ୍ୟ ଏହି ମ୍ୟାଚରେ ୨ଟି ୱିକେଟ ଅକ୍ତିଆର କରିଛନ୍ତି ।