fbpx

ପେନି ମୋର୍ଡାଣ୍ଟଙ୍କଠୁ ବହୁ ଆଗରେ ଋଷି ସୁନକ, ଦୀପାବଳିରେ ହୋଇପାରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପଛକୁ ହଟିବା ପରେ ସୁନକଙ୍କ ଜିତିବା ପ୍ରାୟତଃ ନିଶ୍ଚିତ ହୋଇ ସାରିଛି। ୨୦୧୫ରେ ୟର୍କସାୟରର ରିଚମଣ୍ଡରୁ ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଋଷି ସୁନକ। କଞ୍ଜରଭେଟିଭ୍ ପାର୍ଟିରେ ସୁନକଙ୍କ ଅଭ୍ୟୁଦୟ ଘଟିଥିଲା। ଏବେ ତାଙ୍କ ପ୍ରତି ସାଂସଦଙ୍କ ସମର୍ଥନ ମିଳିବାରେ ଲାଗିଛି।

ଋଷି ସୁନକ ନିଜର ପ୍ରତିଦ୍ଵନ୍ଦ୍ଵୀ ପେନି ମୋର୍ଡାଣ୍ଟଙ୍କଠୁ ବହୁ ଆଗରେ ଅଛନ୍ତି। ସୁନକଙ୍କୁ ସଂସଦର ୧୪୨ ସାଂସଦଙ୍କ ସମର୍ଥନ ମିଳିଛି। ପ୍ରଧାନମନ୍ତ୍ରୀ ହେବା ପାଇଁ ୧୦୦ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହୋଇଥାଏ। ପୂର୍ଵତନ ଚାନସେଲର ସୁନକ ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବା ସମୟରେ କହିଥିଲେ, ସେ ଦେଶର ଅର୍ଥବ୍ୟବସ୍ଥା ସଜାଡିବା, ପାର୍ଟିକୁ ଏକଜୁଟ୍ ରଖିବା ଏବଂ ଦେଶ ପାଇଁ କିଛି କାମ କରିବାକୁ ଚାହୁଁଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ରବିବାର ରାତିରେ ପ୍ରଧାନମନ୍ତ୍ରୀ ପଦ ଦୌଡରୁ ଓହରି ଯାଇଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ପଦକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଏହା ଉପଯୁକ୍ତ ସମୟ ନୁହେଁ। ତେଣୁ ସୁନକଙ୍କ ପାଇଁ ଦୀପାବଳିରେ ବିଜୟର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

ସୁନକ ଗତ ମାସରେ ପାର୍ଟିର ନେତୃତ୍ଵ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କଠୁ ହାରି ଯାଇଥିଲେ। ଟ୍ରସ କଞ୍ଜରଭେଟିଭ ପାର୍ଟିରେ ନିଜ ନେତୃତ୍ଵ ବିରୋଧରେ ଖୋଲା ବିଦ୍ରୋହ ପରେ କେବଳ ୪୫ ଦିନ ପରେ ଗୁରୁବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସୁନକଙ୍କ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବାର ଆଶା ପୁଣି ଥରେ ଜାଗି ଉଠିଛି। ସେ ନିକଟରେ ନିର୍ବାଚନ ପ୍ରଚାର ସମୟରେ କହିଛନ୍ତି ଯେ, ମୁଁ ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଏକ ସୁଯୋଗ ଦେବାକୁ ଅନୁରୋଧ କରୁଛି।

Get real time updates directly on you device, subscribe now.