କୋଲକାତା: ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମୁକାବିଲା କୋଲକାତାରେ ରବିବାର ଖେଳାଯିବ। ଏହା ପୂର୍ବରୁ ଭାରତୀୟ ଦଳ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରି ସାରିଛି। ଶେଷ ମ୍ୟାଚ୍ ଜିତି ଟି-୨୦ ସିରିଜରେ କ୍ଲିନ ସୁଇପ କରିବାକୁ ଦଳ ଲକ୍ଷ୍ୟ ରଖିଛି। ଏହି ମୁକାବିଲାରେ ଉଭୟ ଦଳ ଅନେକ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇ ପାରନ୍ତି। ଭାରତୀୟ ଦଳ ଋତୁରାଜ ଗାଏକଓ୍ଵାଡ ଏବଂ ଅଭେଶ ଖାନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରିପାରେ।
ଗାଏକଓ୍ଵାଡଙ୍କ ଦୀର୍ଘ ଦିନର ଅପେକ୍ଷାର ଆଜି ପରିସମାପ୍ତି ଘଟିପାରେ। ଚମତ୍କାର ଫର୍ମରେ ଥିବା ସତ୍ତ୍ଵେ ବି ତାଙ୍କୁ ସିରିଜରେ ଏ ପର୍ଯ୍ୟନ୍ତ ସୁଯୋଗ ମିଳିନାହିଁ। ତୃତୀୟ ଟି-୨୦ରେ ବିରାଟ କୋହଲି ଏବଂ ଋଷଭ ପନ୍ତ ଦଳରେ ଉପଲବ୍ଧ ରହିବେ ନାହିଁ। ଉଭୟଙ୍କୁ ୧୦ ଦିନର ବିଶ୍ରାମ ଦିଆଯାଇଛି। ତେଣୁ ଗାଏକଓ୍ଵାଡଙ୍କୁ ସୁଯୋଗ ମିଳିପାରେ। ଋତୁରାଜ ଗତ ବର୍ଷ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ପଦାର୍ପଣ କରିଥିଲେ। ଏହା ପରଠୁ ତାଙ୍କୁ ଖେଳିବାର କୌଣସି ସୁଯୋଗ ମିଳିନଥିଲା।
କୋଚ୍ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମା ଏହି ମୁକାବିଲାରେ ଅଭେଶ ଖାନଙ୍କୁ ସୁଯୋଗ ଦେଇ ପାରନ୍ତି। ଋତୁରାଜଙ୍କ ପରି ଅଭେଶ ଖାନ ଦୀର୍ଘ ସମୟ ବେଞ୍ଚରେ ବସିଛନ୍ତି। ସେ ଦଳ ସହିତ ଅନେକ ଗସ୍ତ କରି ସାରିଲେଣି। ମାତ୍ର ଚୂଡାନ୍ତ ଏକାଦଶରେ ତାଙ୍କୁ ସୁଯୋଗ ମିଳିନାହିଁ। ଅଭେଶ ଆଇପିଏଲରେ ୧୬ଟି ମ୍ୟାଚରେ ୨୪ ଓ୍ଵିକେଟ୍ ହାସଲ କରିଥିଲେ। ସେ ତୃତୀୟ ଟି-୨୦ରେ ହର୍ଷଲ ପଟେଲଙ୍କ ସ୍ଥାନରେ ଖେଳି ପାରନ୍ତି। ଋଷଭ ପନ୍ତଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ।
ତୃତୀୟ ଟି-୨୦ ପାଇଁ ସମ୍ଭାବିତ ଚୂଡାନ୍ତ ଏକାଦଶ
ରୋହିତ ଶର୍ମା(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଇଶାନ କିଶନ, ସୂର୍ୟ୍ୟକୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟେଶ ଆୟର, ଦୀପକ ଚହର, ହର୍ଷଲ ପଟେଲ/ଅଭେଶ ଖାନ, ଭୁବନେଶ୍ଵର କୁମାର, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ।