fbpx

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ ଜରିମାନା ଅର୍ଥର ୫୦ ପ୍ରତିଶତ ସଡ଼କ ସୁରକ୍ଷା ପାଣ୍ଠିକୁ ଦିଆଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ପକ୍ଷରୁ ସଡ଼କ ସୁରକ୍ଷା ପାଣ୍ଠିକୁ ବୃଦ୍ଧି କରାଯାଇଛି । ଏହି ପାଣ୍ଠି ପୂର୍ବରୁ ୨୦ ପ୍ରତିଶତ ରହିଥିବା ବେଳେ ଏବେ ୫୦ ପ୍ରତିଶତକୁ ବଢାଯାଇଛି । ଟ୍ରାଫିକ ନିୟମ ଖିଲାପକାରୀଙ୍କ ଠାରୁ ଆଦାୟ ହେଉଥିବା ଅର୍ଥର ୫୦ ପ୍ରତିଶତ ସଡ଼କ ସୁରକ୍ଷା ପାଣ୍ଠିକୁ ପ୍ରଦାନ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ସଡ଼କ ସୁରକ୍ଷା ନିମନ୍ତେ ଅନେକ ପଦକ୍ଷେପ ସୁପାରିସ କରିଛନ୍ତି । ତେବେ ଏଥିପାଇଁ ପରିବହନ ବିଭାଗ ସମସ୍ତ ଖର୍ଚ୍ଚ ବହନ କରୁଛି । ଗୋଟିଏ ପଟେ ପାଣ୍ଠି ଅନୁଦାନ ବଢ଼ୁଥିବା ବେଳେ ଅନ୍ୟପଟେ ବ୍ୟୟ ମଧ୍ୟ ବଢ଼ିବାରେ ଲାଗିଛି । ବିଭିନ୍ନ ଜିଲ୍ଲା ପୋଲିସ ଓ ବିଭାଗ ପକ୍ଷରୁ ପାଖାପାଖି ୬୦ କୋଟି ଟଙ୍କାର ପାଣ୍ଠି ଦାବି କରାଯାଇଛି ।

ସଡ଼କ ସୁରକ୍ଷା ସାମଗ୍ରୀ କିଣିବା ପାଇଁ ପ୍ରତ୍ୟେକ ଆରଟିଓକୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଦୁର୍ଘଟଣାର ତଦନ୍ତ ପାଇଁ ୨୦ ଲକ୍ଷ, ଦୁର୍ଘଟଣା ସ୍ଥଳରେ ସଫ୍ଟୱେର ଓ କର୍ମଚାରୀଙ୍କ ବ୍ୟୟ ବାବଦକୁ ୧୦ ଲକ୍ଷ, ୬ ମାସ ପାଇଁ ୮୦ ଜଣ ହେମଗାର୍ଡଙ୍କ ଦରମା ବାବଦକୁ ୫୨ ଲକ୍ଷ, ଜାତୀୟ ସଡ଼କ ସୁରକ୍ଷା ଚଳଚ୍ଚିତ୍ର ମହୋତ୍ସବ ପାଇଁ ୪୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁରୀ ମିଳିଛି ।

ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ୧୬ କୋଟିର ବ୍ୟୟ ଅଟକଳ ଦାଖଲ କରାଯାଇଛି । ୨୦୨୩ ପର୍ଯ୍ୟନ୍ତ ହାଇୱେ ଇଣ୍ଟରସେପ୍ଟର ପରିଚାଳନା ପାଇଁ ପରିବହନ କମିଶନରଙ୍କ ପକ୍ଷରୁ ୧.୮୯ କୋଟି ପାଣ୍ଠି ମଗାଯାଇଛି । ୧୦ ପୋଲିସ ଜିଲ୍ଲାରେ ନିୟୋଜିତ ଛାତ୍ର ଟ୍ରାଫିକ ସ୍ୱେଚ୍ଛାସେବୀଙ୍କ ପାଇଁ ୬ ମାସର ପାରିଶ୍ରମିକ ବାବଦରେ ୧.୪୫ କୋଟିର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

Get real time updates directly on you device, subscribe now.