fbpx

CRRI ବୈଜ୍ଞାନିକଙ୍କ ବଡ଼ ଖୁଲାସା: ଧାନ ଫସଲକୁ ନଷ୍ଟ କରୁଛି ରାସ୍ତା କଡ଼ର ଲାଇଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଶିଳ୍ପ କ୍ଷେତ୍ରରେ ଆଜିର ସମାଜ ବହୁତ ଆଗକୁ ବଢ଼ିଯାଇଛି । ଏହା ପରେ ବି ଆଜି ଅଧିକାଂଶ ଲୋକ କୃଷି କ୍ଷେତ୍ର ଉପରେ ନିର୍ଭର କରି ନିଜର ଗୁଜୁରାଣ୍ଟ ମେଣ୍ଟାଉଛନ୍ତି । ପ୍ରତ୍ୟେକ ଫସଲର ଉତ୍ପାଦନ ବୃଦ୍ଧି ପାଇଁ ଚାଷୀମାନେ ଭିନ୍ନ ଭିନ୍ନ କୌଶଳ ଆପଣାଇଥାନ୍ତି । ତେବେ ଅନୁରୂପ ଭାବେ ଧାନ ଚାଷ ପାଇଁ ମଧ୍ୟ କିଛି ବିଧି ବିଧାନ ରହିଛି । ଅନେକ ସମୟରେ କିଛି ଚାଷୀ ନିଜର ଅଜ୍ଞତା କାରଣରୁ ଚାଷରୁ ଆବଶ୍ୟକ ମୁତାବକ ଶସ୍ୟ ଉତ୍ପାଦନ କରିବାରେ ଅକ୍ଷମ ହୋଇଥାନ୍ତି ।

ତେବେ ଏନେଇ କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (ସିଆରଆରଆଇ)ର ଜଣେ ବୈଜ୍ଞାନିକ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । ଅନେକ ଧାନ କ୍ଷେତ୍ର ମଝିରେ ରାସ୍ତା ଯାଇଥାଏ । ଉକ୍ତ ରାସ୍ତା କଡ଼ରେ ବିଜୁଳି ଖୁଣ୍ଟରେ କିଛି ଲାଇଟ ଲାଗିଥାଏ । ସେହି ଲାଇଟ କାରଣରୁ ଅନେକ ସମୟରେ ଧାନ କ୍ଷେତ ପ୍ରଭାବିତ ହୋଇଥାଏ । ଯଦି କୌଣସି ଧାନ ବା ଫସଲ ଦିନର ୧୨ ଘଣ୍ଟା ପରେ ଆଲୋକ ସଂସ୍ପର୍ଶରେ ଆସେ, ତେବେ ତାହା ଫସଲ ଉତ୍ପାଦନକୁ ବାଧାପ୍ରାପ୍ତ କରେ ବୋଲି ସିଆରଆରଇଆଇ ବୈଜ୍ଞାନିକ କହିଛନ୍ତି ।

ଓଡ଼ିଶାର ଅନେକ ସ୍ଥାନରେ ଆଲୋକ କାରଣରୁ ଧାନ ଚାଷ ପ୍ରଭାବିତ ହେଉଥିବା ଅଭିଯୋଗ ଆସିବା ପରେ ପ୍ରଶାସନ ପକ୍ଷରୁ ରାସ୍ତା ଲାଇଟକୁ ବନ୍ଦ କରାଯାଇଥିଲା । ଯେତେବେଳେ ଦିନ ଛୋଟ ହୋଇଥାଏ ସେ ସମୟରେ ଧାନ ଗଛରେ ଫୁଲ ଧରେ ଓ ଫୁଲରୁ ଧାନ ସୃଷ୍ଟି ହୋଇଥାଏ । ଏହାର ଅର୍ଥ ହେଉଛି ଧାନ ଫୁଲ ଧରିବା ସମୟରେ କମ୍ ଆଲୋକର ଆବଶ୍ୟକତା ପଡ଼ିଥାଏ । ଏହି ସମୟରେ ଧାନ ପାଇଁ ଅନ୍ଧାରର ଆବଶ୍ୟକତା ରହିଥାଏ । ମାତ୍ର ଏପରି ସ୍ଥଳେ ଯଦି ଧାନ ଜମିରେ କୌଣସି ଷ୍ଟ୍ରିଟ ଲାଇଟ ରହିଥାଏ ତେବେ ଧାନରେ ଫୁଲ ଧରିବାରେ ସମସ୍ୟା ଦେଖାଦେଇଥାଏ । ତେଣୁ ଧାନର ଫୁଲ ଧରିବା ସମୟରେ ଲାଇଟକୁ ବନ୍ଦ କରିବା, ଲାଇଟର ଫୋକସକୁ ବିଲ ଆଡ଼କୁ ନକରି ରାସ୍ତା ଆଡ଼କୁ କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.