fbpx

ବିଶ୍ୱ ରେକର୍ଡ ପଛରେ ରୋହିତ… ଶ୍ରୀଲଙ୍କା ବିପକ୍ଷ ସିରିଜରେ ଇତିହାସ ରଚିବେ ହିଟମ୍ୟାନ୍ ଶର୍ମା

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ । ଏହାପରେ ଅଗଷ୍ଟ ୨ ତାରିଖରୁ ଉଭୟ ଦଳ ମଧ୍ୟରେ ଦିନିକିଆ ସିରିଜ ଖେଳାଯିବ । ତେବେ ଟି-୨୦ ଫର୍ମାଟରୁ ବିଦାୟ ନେବା ପରେ ଦିନିକିଆ କ୍ରିକେଟକୁ କମବ୍ୟାକ କରିବେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି । ତେବେ ଉଭୟଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରି ରହିଛନ୍ତି ଭାରତୀୟ ଫ୍ୟାନ୍ସ । ତେବେ ଏହି ସରିଜରେ ଅଧିନାୟକ ରୋହିତ ଏକ ବିଶ୍ୱ ରେକର୍ଡ ନିଜ ନାମରେ କରିପାରନ୍ତି । ଦିନିକିଆ କ୍ରିକେଟରେ ଅନେକ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛନ୍ତି ରୋହିତ ।

ରୋହିତଙ୍କ ନେତୃତ୍ୱରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳିବ ଟିମ ଇଣ୍ଡିଆ । ତେବେ ଏହି ସରିଜରେ ରୋହିତଙ୍କ ଟାର୍ଗେଟରେ କିଛି ବଡ଼ ରେକର୍ଡ ରହିଛି । ଏହି ସିରିଜରେ ରୋହିତ ସର୍ବାଧିକ ଛକା ମାରିଥିବା ଅଧିନାୟକଙ୍କ ତାଲିକାରେ ଶୀର୍ଷ ସ୍ଥାନ ଅକ୍ତିଆର କରିପାରନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରେକର୍ଡ ଇଂଲଣ୍ଡ ପୂର୍ବ ଅଧିନାୟକ ଇଓନ୍ ମୋର୍ଗାନଙ୍କ ନାମରେ ରହିଛି । ଅଧିନାୟକ ଭାବରେ ମୋର୍ଗାନ୍ ୨୩୩ ଛକା ହାସଲ କରିଥିବା ବେଳେ ରୋହିତ ଶର୍ମା ମାତ୍ର ୨ଟି ଛକା ଦୂରରେ ରହିଛନ୍ତି । ତେବେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ୨ଟି ଛକା ମାରିପାରିଲେ ରୋହିତ ମଧ୍ୟ ଇଓନ୍ ମୋର୍ଗାନଙ୍କ ରେକର୍ଡର ସମକକ୍ଷ ହୋଇପାରିବେ ।

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ଦିନିକିଆ କ୍ରିକେଟରେ ୨୧୧ଟି ଛକା ସହ ତୃତୀୟ ସର୍ବାଧିକ ଛକା ହାସଲ କରିଛନ୍ତି । ସେହିପରି ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକି ପଣ୍ଟିଂ ୧୭୧ ଛକା ମାରି ତାଲିକାରେ ସାମିଲ ରହିଛନ୍ତି । ତେବେ ନ୍ୟୁଜିଲାଣ୍ଡ ପୂର୍ବ ଅଧିନାୟକ ବ୍ରେଣ୍ଡନ୍ ମ୍ୟାକୁଲମ୍ ଅଧିନାୟକ ଭାବରେ ଇଣ୍ଟରନେସନାଲ କ୍ରିକେଟରେ ୧୭୦ ଛକା ମାରିଛନ୍ତି । ସେହିପରି ଭାରତର ପୂର୍ବ ଅଧିନାୟକ ବିରାଟ କୋହଲି ୧୩୮ଟି ଛକା ହାସଲ କରିଛନ୍ତି ।

ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଜୁଲାଇ ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ୨୮ ତାରିଖରେ ଦ୍ୱିତୀୟ ଏବଂ ୩୦ ତାରିଖରେ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ ଖେଳାଯିବ । ଏହାପରେ ଅଗଷ୍ଟ ୨ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ । ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଅଗଷ୍ଟ ୪ ତାରିଖରେ ଖେଳାଯିବାକୁ ଥିବା ବେଳେ ତୃତୀୟ ଦିନିକିଆ ଅଗଷ୍ଟ ୭ ତାରିଖରେ ଖେଳାଯିବ ।

Get real time updates directly on you device, subscribe now.