ଟେଷ୍ଟରୁ ଅବସର ଘୋଷଣା କଲେ ରୋହିତ ଶର୍ମା, ସବୁଦିନ ପାଇଁ ଟେଷ୍ଟ ମ୍ୟାଚକୁ କଲେ ଅଲବିଦା

ଆଉ ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳିବନି ରୋହିତଙ୍କ ଛକା ଚୌକା। ଇନଷ୍ଟାରେ ଦେଲେ ସୂଚନା।

ନୂଆଦିଲ୍ଲୀ: ଟେଷ୍ଟରୁ ଅବସର ଘୋଷଣା କଲେ କ୍ୟାପଟେନ୍ ରୋହିତ ଶର୍ମା। ଆଉ କୌଣସି ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳିବନି ହିଟ୍ ମ୍ୟାନଙ୍କ ଲମ୍ୱା ଲମ୍ୱା ଛକା ଚୌକା। ସବୁଦିନ ପାଇଁ ଟେଷ୍ଟ ମ୍ୟାଚକୁ ଅଲବିଦା କହିଲେ ରୋହିତ ଶର୍ମା।

ଟେଷ୍ଟ ଅଧିନାୟକ ପଦରୁ ହଟିବା ସୂଚନା ପାଇବା ମାତ୍ରେ ଅବସର ଘୋଷଣା କଲେ ରୋହିତ। ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ସିରିଜ ପରାଜୟ ପାଇଁ ସମାଲୋଚିତ ହୋଇଥିଲେ। ପୂର୍ବରୁ T20ରୁ ସନ୍ନାସ ଘୋଷଣା କରିଥିଲେ ରୋହିତ। ମାତ୍ର ଦିନିକିଆ କ୍ରିକେଟ ଜାରି ରଖିବେ ବୋଲି ଇନଷ୍ଟାରେ ସ୍ପଷ୍ଟ କଲେ।

ଯଦି ଦେଖିବା ରୋହିତ ଶର୍ମା ୨୦୧୩ ମସିହାରେ ଟେଷ୍ଟରେ ଡେବ୍ୟୁ କରିଥିଲେ। ସେହି ବର୍ଷ ଓ୍ୱେଷ୍ଟ ଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ଖେଳି ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ଆଉ ପ୍ରଥମ ଡେବ୍ୟୁ ମ୍ୟାଚରେ ୧୭୭ ରନର ବିଶାଳ ପାଳି ଖେଳିଥିଲେ।

ଏହାସହ ରୋହିତ ଶର୍ମା ୬୭ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେଥି ମଧ୍ୟରୁ ୧୨ଟି ଶତକ ଓ ୧୮ଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତ ୬୭ ଟି ଟେଷ୍ଟ ମ୍ୟାଚେ ଖେଳି ନିଜ ଖାତାରେ ୪ ହଜାର ୩୦୧ ରନ୍ କରିପାରିଛନ୍ତି।

ରୋହିତ୍ ୬୭ଟି ମ୍ୟାଚ ମଧ୍ୟରୁ ୨୩ଟି ମ୍ୟାଚରେ କ୍ୟାପଟେନ୍ ରହିଛନ୍ତି। ଆଉ ଏହି ସବୁ ମ୍ୟାଚରେ ରୋହିତ ୮୮ଟି ଛକା ଓ ୪୭୩ ଚୌକା ମାରିଛନ୍ତି। ୨୬ ଡିସେମ୍ୱରରେ ଶେଷ ଥର ପାଇଁ ଖେଳିଥିଲେ ଟେଷ୍ଟ। ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ରୋହିତ।