fbpx
BJD
BJD SKY
BJD SKY

RTI କାର୍ଯ୍ୟକର୍ତ୍ତା ପ୍ରଦୀପ ପ୍ରଧାନ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୂଚନା ଅଧିକାର (ଆରଟିଆଇ) କର୍ମୀ ପ୍ରଦୀପ ପ୍ରଧାନ ଗିରଫ ହୋଇଛନ୍ତି । କ୍ରୀଡ଼ାବିତ ଦୂତୀ ଚାନ୍ଦଙ୍କୁ ସାମାଜିକ ଗଣମାଧ୍ୟମରେ ଅପମାନିତ କରିବା ନେଇ ମାମଲାର ୨ ବର୍ଷ ପରେ ପ୍ରଦୀପଙ୍କୁ ମହିଳା ଥାନା ପୋଲିସ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ପ୍ରଦୀପଙ୍କୁ ଝାରପଡ଼ାସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଗତ ୨୦୨୧ ମସିହାରେ ଟୋକିଓ ଅଲିମ୍ପିକ୍ସରେ ଦୂତୀଙ୍କ ପ୍ରଦର୍ଶନକୁ ନେଇ ଏକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଉକ୍ତ ଖବର ଫେସବୁକରେ ପୋଷ୍ଟ ହୋଇଥିବା ବେଳେ ପ୍ରଦୀପ ତାହାକୁ ଶେୟାର କରିଥିଲେ । ଉକ୍ତ ଖବରକୁ ନେଇ ଦୂତୀ ଅପମାନିତ ହୋଇଥିବା ବେଳେ ସେ ଏନେଇ ଉକ୍ତ ଗଣମାଧ୍ୟମ ସମ୍ପାଦକ ଓ ପ୍ରଦୀପଙ୍କ ବିରୋଧରେ ମହିଳା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ ।

ତେବେ ଉକ୍ତ ମାମଲାରେ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ପୂର୍ବରୁ ଗିରଫ ହୋଇଥିଲେ । ପ୍ରଦୀପଙ୍କୁ ଗିରଫ ପାଇଁ ଦୂତୀ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ । ଉକ୍ତ ଆବେଦନର ବିଚାର କରି ପ୍ରଦୀପଙ୍କୁ ଗିରଫ କରିବା ପାଇଁ ଗତ ଅଗଷ୍ଟ ମାସରେ ପୋଲିସକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ପ୍ରଦୀପଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରାଯାଇଥିବା ଅନ୍ୟ ସୂଚନା ଅଧିକାରୀ କର୍ମୀମାନେ କହିଛନ୍ତି । ପ୍ରଦୀପଙ୍କୁ ନିସର୍ତ୍ତ ଖଲାସ କରାନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା) ପକ୍ଷରୁ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.