fbpx

ନିୟମ ସଂଶୋଧନ କଲା ଗୃହ ମନ୍ତ୍ରଣାଳୟ: ଜମ୍ମୁ କଶ୍ମୀର ଉପରାଜ୍ୟପାଳଙ୍କୁ ମିଳିବ ସାମ୍ବିଧାନିକ ଅଧିକାର, ଟ୍ରାନ୍ସଫର-ପୋଷ୍ଟିଂ କ୍ଷମତା LGଙ୍କ ପାଖରେ ରହିବ

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ (ଏଲଜି)ଙ୍କ ପରି ଜମ୍ମୁ କଶ୍ମୀର ଏଲଜିଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ନେଇ କେନ୍ଦ୍ର ସରକାର ପ୍ରସ୍ତୁତି କରିସାରିଛନ୍ତି । ଏଣିକି ଜମ୍ମୁ କଶ୍ମୀର ଏଲଜିଙ୍କୁ ଦିଲ୍ଲୀ ଏଲଜିଙ୍କ ପରି ପ୍ରଶାସନିକ କ୍ଷମତା ଦିଆଯିବ । ଅର୍ଥାତ ଦିଲ୍ଲୀରେ ଯେପରି ଅରବିନ୍ଦ୍ର କେଜ୍ରିୱାଲ ସରକାର ଏଲଜିଙ୍କ ବିନା ଅନୁମତିରେ ଟ୍ରାନ୍ସଫର-ପୋଷ୍ଟିଂ କରିପାରୁନଥିଲେ, ଏବେ ଜମ୍ମୁ କଶ୍ମୀରରେ ମଧ୍ୟ ସମାନ ଫର୍ମୂଲା ଲାଗୁ ହେବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜମ୍ମୁ କଶ୍ମୀର ପୁନର୍ଗଠନ ଅଧିନିୟମ, ୨୦୧୯ର ଧାରା ୫୫ ଅନୁସାରେ ସଂଶୋଧିତ ନିୟମକୁ ଅଧିସୂଚିତ କରାଯାଇଛି ।

ଜମ୍ମୁ କଶ୍ମୀର ପୁନର୍ଗଠନ ହେବା ପରଠାରୁ ସେଠାରେ ନିର୍ବାଚନ ହୋଇ ନାହିଁ । ତେଣୁ ଯେତେବେଳେ ବି ସେଠାରେ ନିର୍ବାଚନ ହେବ ଓ ସରକାର ଗଠନ ହେବ, ସେତେବେଳେ କ୍ଷମତାସୀନ ସରକାର ଅପେକ୍ଷା ଏଲଜିଙ୍କ ନିକଟରେ ଅଧିକ କ୍ଷମତା ରହିବ । ଦିଲ୍ଲୀରେ ଯେପରି କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ) ସରକାର ଅପେକ୍ଷା ଏଲଜିଙ୍କ ନିକଟରେ ଅଧିକ କ୍ଷମତା ରହିଛି, ସେହିପରି ଜମ୍ମୁ କଶ୍ମୀର ଏଲଜିଙ୍କ ନିକଟରେ ମଧ୍ୟ ଅଧିକ କ୍ଷମତା ରହିବ । ଜମ୍ମୁ କଶ୍ମୀର ପୁନର୍ଗଠନ ଅଧିନିୟମ, ୨୦୧୯ର ଧାରା ୫୫ରେ ସଂଶୋଧିତ ନିୟମରେ ଅନେକ ପଏଣ୍ଟ ଯୋଡ଼ା ଯାଇଛି ।

୪୨ଏ- ଯେଉଁ ପ୍ରସ୍ତାବ ପାଇଁ ଅଧିନିୟମ ଅନୁସାରେ ‘ପୋଲିସ’, ‘ସାର୍ବଜନିକ ବ୍ୟବସ୍ଥା’, ‘ଅଖିଳ ଭାରତୀୟ ସେବା’, ‘ଭ୍ରଷ୍ଟାଚାର ନିରୋଧକ ବ୍ୟୁରୋ (ଏସିବି)’ ସମ୍ବନ୍ଧରେ ଅର୍ଥ ବିଭାଗର ପୂର୍ବ ସହମତି ଜରୁରୀ ହୋଇଥାଏ, ତାହାକୁ ମୁଖ୍ୟ ସଚିବଙ୍କ ଜରିଆରେ ଏଲଜିଙ୍କ ସମ୍ମୁଖରେ ରଖାନଯିବା ପର୍ଯ୍ୟନ୍ତ ତାହାକୁ ସ୍ୱୀକାର ବା ଅସ୍ୱୀକାର କରାଯାଇ ପାରିବ ନାହିଁ । ୪୨ବି- ଅଭିଯୋଜନ ସ୍ୱୀକୃତୀ ଦେବା ବା ଅସ୍ୱୀକାର କରିବା ବା ଅପିଲ ଦାୟର କରିବା ସମ୍ବନ୍ଧରେ କୌଣସି ବି ପ୍ରସ୍ତାବ ବିଧି ବିଭାଗ ଦ୍ୱାରା ମୁଖ୍ୟ ସଚିବଙ୍କ ମାଧ୍ୟମରେ ଉପରାଜ୍ୟପାଳଙ୍କ ସମ୍ମୁଖକୁ ଅଣାଯିବ । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଜମ୍ମୁ କଶ୍ମୀରର ନେତାମାନେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ।

Get real time updates directly on you device, subscribe now.