ଭୁବନେଶ୍ୱର:୭।୫(ଓଡିଶା ଭାସ୍କର):ପ୍ରେମ ମାନେନି ସୀମା ସରହଦ । ମାନେନି ଆକଟ କି କଟକଣା । ଆଉ ସେଠି ଲକ ଡାଉନ କଣ ? ଲକଡାଉନରେ ବାହା ହେବାକୁ ମନ ବଳାଇଲେ ୩୦ବର୍ଷୀୟ ଋଷିଆଲାଳନା ଓ ତାଙ୍କ ୨୦ ବର୍ଷୀୟ ଭାରତୀୟ ପ୍ରେମିକ । ବାହାଘରକୁ ସ୍ମରଣୀୟ କରିବାକୁ ଏଠି ସେଠି ନୁହେଁ ବରଂ ସିମଲା ଯିବାକୁ ମନ ବଳାଇଲେ । କିନ୍ତୁ ଏପଟେ ଲକ ଡାଉନ । ପୁଣି ଉତ୍ତର ପ୍ରଦେଶରୁ ହିମାଚଳ ପ୍ରଦେଶ । ବାଟରେ ରାଜ୍ୟସୀମା ,ଜିଲ୍ଲା ସୀମା ,ପୋଲିସ ସବୁ କିଛି ତୁଚ୍ଛ ଲାଗିଲା । ନଏଡାରୁ ହିମାଚଳ ଯାଉଥିବା ଟ୍ରକରେ ସବାର ହେଲେ ଉଭୟ । ବାଟ ସାରା ହସ ଖୁସି,ମସ୍ତି ମଜାକରେ ନଏଡାର କଂକ୍ରିଟ ଜଂଗଲରୁ କେତେବେଳେ ହିମାଚଳର ବଣପାହାଡ ଘେରା ପରିବେଶରେ ପଂହଚିଲେ ଜଣାପଡିଲାନି । କିନ୍ତୁ ଠିକ ସେତିକି ବେଳକୁ ସାଥ ଦେଲାନି ଭାଗ୍ୟ । ସିମଲାର ପ୍ରବେଶ ପଥରେ ପୋଲିସ ଚେକିଂ କରୁଥିବା ସମୟରେ ଉଭୟ ଧରାପଡିଲେ । ଏବେ ଦୁଇ ପ୍ରେମପକ୍ଷୀ କ୍ୱାରେଣ୍ଟାଇନ । ତଛଡା ଲକଡାଉନ ନିୟମ ଉଲଂଘନ ପାଇଁ ଦୁହିଁଙ୍କ ବିରୋଧରେ ମାମଲା ବି ଦାୟର ହୋଇଛି ।