fbpx

ରୁଷ ୟୁକ୍ରେନ ଉପରେ କଲା ବର୍ଷର ସବୁଠାରୁ ବଡ ଆକ୍ରମଣ; ଏକ ସଙ୍ଗେ କଲା ୧୧୦ କ୍ଷେପଣାସ୍ତ୍ର ମାଡ, ବହୁ ସଂଖ୍ୟାରେ ଲୋକ ମୃତାହତ

ନୂଆଦିଲ୍ଲୀ: ବର୍ଷ ୨୦୨୩ ଧରାପୃଷ୍ଠରୁ ବିଦାୟ ନେବା ପୂର୍ବରୁ ରୁଷ ୟୁକ୍ରେନ ଉପରେ ଏହି ବର୍ଷର ସବୁଠାରୁ ବଡ ଓ ଭୟଙ୍କର ଆକ୍ରମଣ କରିଛି । ଏହି ଆକ୍ରମଣ ଏତେ ଭୟଙ୍କର ଥିଲା କି ଏଥିରେ ବହୁ ବିଲଡିଂ ତାସ୍ ପତ୍ତା ପରି ଭାଙ୍ଗି ପଡିଛି । ଏହି ଆକ୍ରମଣରେ ବହୁ ଲୋକ ମୃତ୍ୟୁବରଣ କରିଛନ୍ତି ।

ୟୁକ୍ରେନ ରାଷ୍ଟ୍ରପତି ବ୍ଲାଦିମିର ଜେଲେନସ୍କି ଶୁକ୍ରବାର କହିଛନ୍ତି ରୁଷ ବର୍ଷରେ ସବୁଠାରୁ ବଡ ଆକ୍ରମଣରେ ୟୁକ୍ରେନ ଉପରେ ସାରା ରାତି ପ୍ରାୟ ୧୧୦ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଛି । ଏହି ଆକ୍ରମଣରେ ବହୁ ନିରୀହ ଜନତା ମୃତ୍ୟୁମୁଖରେ ପଡିଛନ୍ତି । ତେବେ ସଠିକ୍ ମୃତ୍ୟୁ ସଂଖ୍ୟା ଏବେ ସାମ୍ନାକୁ ଆସିନାହିଁ । କାରଣ ଏବେ ବି କୋଠା ତଳେ ବହୁ ଲୋକ ଚାପି ହୋଇ ରହିଛନ୍ତି । ଏହା ସହିତ ବହୁ ଲୋକ ଆହାତ ହୋଇଥିବାର ସୂଚନା ମିଳିଛି । ସମସ୍ତ ଆହାତଙ୍କୁ ନିକଟବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରୁଷର ଏହି ଆକ୍ରମଣ ପରେ ୟୁକ୍ରେନରେ ଆତଙ୍କର ବାତାବରଣ ଖେଳିଯାଇଛି । ଜେଲେନସ୍କି କହିଛନ୍ତି ରୁଷ ସେନା ବାଲିଷ୍ଟିକ ଓ କ୍ରୁଜ୍ ମିସାଇଲ ସହିତ ବିଭିନ୍ନ ପ୍ରକାର ମାରଣାସ୍ତ୍ର ବ୍ୟବହାର କରିଛି । ଏହି ଆକ୍ରମଣ ୧୮ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା ଯେଉଁଥିରେ ରାଜଧାନୀ କିଭ୍ ସହିତ ପୂର୍ବ ଓ ପଶ୍ଚିମ ୟୁକ୍ରେନ୍ର ୬ ଗୋଟି ସହରକୁ ଟାର୍ଗେଟ୍ କରାଯାଇଛି ।

Get real time updates directly on you device, subscribe now.