ନୂଆଦିଲ୍ଲୀ: ବେଳକୁ ବେଳ ୟୁକ୍ରେନ ଓ ରୁଷକୁ ନେଇ ବିଶ୍ୱରେ ଯୁଦ୍ଧର ଆଶଙ୍କା ବଢ଼ିବାରେ ଲାଗିଛି । ରୁଷ ପୂର୍ବ ୟୁକ୍ରେନର ଡୋନେଟସ୍କ ଓ ଲୁହାନସ୍କକୁ ଦୁଇଟି ଅଲଗା ଦେଶର ମାନ୍ୟତା ପ୍ରଦାନ କରିବା ଏହି ମାମଲାକୁ ଆହୁରି ବଢ଼ାଇ ଦେଇଛି । ଗୋଟିଏ ପଟେ ରୁଷ ଏକା ଛିଡ଼ା ହୋଇଥିବା ବେଳେ ଅନ୍ୟ ପଟେ ଆମେରିକା, ବ୍ରିଟେନ, ନାଟୋ, ୟୁରୋପିଆନ ସଂଘ ରହିଛନ୍ତି । ତଥାପି ରୁଷର ସାମାନ୍ୟ ଭୟ ନାହିଁ । କିଏ ଠିକ୍ କିଏ ଭୁଲ ସେଇଟା ତ ଅଲଗା କଥା । ମାତ୍ର ଏହି ଯୁଦ୍ଧ ପଛରେ ରୁଷର କିଛି ଅନ୍ତଃ ଅଭିସନ୍ଧି ଲୁଚି ରହିଥିବା ମନେହୁଏ ।
ବର୍ତ୍ତମାନ ବିଶ୍ୱର ସୁପରପାୱାର ହେଉଛି ଯୁକ୍ତରାଷ୍ଟ୍ର ଆମେରିକା । ଦୀର୍ଘ ଦଶନ୍ଧି ଧରି ରୁଷ ଓ ଆମେରିକା ମଧ୍ୟରେ ଏକପ୍ରକାର ଶୀତଳଯୁଦ୍ଧ ଲାଗି ଆସିଛି । ତେବେ ରୁଷ୍ କ’ଣ ୟୁକ୍ରେନ ଯୁଦ୍ଧ ମାଧ୍ୟମରେ ସମଗ୍ର ବିଶ୍ୱକୁ ଜଣାଇ ଦେବାକୁ ଚାହୁଁଛି ଯେ ସେ ହିଁ ଅସଲ ସୁପରପାୱାର ବୋଲି? ଏକଥାକୁ ମଧ୍ୟ ଅଣଦେଖା କରିହେବନି ।
ରୁଷର ବର୍ତ୍ତମାନର ଏକଛତ୍ରବାଦୀ ଶକ୍ତିଶାଳୀ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଦେଶର ସମ୍ବିଧାନ ସଂଶୋଧନ କରିଛନ୍ତି । ପୁଟିନ ଯଦି ଚାହିଁବେ ଆଗାମୀ ୨୪ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୨୦୩୬ ମସିହା ପର୍ଯ୍ୟନ୍ତ ସର୍ବୋଚ୍ଚ ପଦବୀରେ ରହିପାରିବେ । ଦେଶରେ ଯେପରି ପୁଟିନଙ୍କୁ କେହି ରୋକିପାରୁ ନାହାନ୍ତି ହୁଏତ ସେହିପରି ବିଶ୍ୱରେ ରାଜ କରିବାକୁ ଚାହୁଁ ଥାଇ ପାରନ୍ତି ପୁଟିନ । ପ୍ରତିରକ୍ଷା, କୂଟନୀତି, ଅର୍ଥନୀତି, ଆଣବିକ ଶସ୍ତ୍ର, ମହାକାଶ ଆଦି କ୍ଷେତ୍ରରେ ପୁଟି ନିଜସ୍ୱ ଷ୍ଟାଇଲରେ ନିଷ୍ପତ୍ତି ନେଇ ବିଶ୍ୱ ରାଜନୀତିକୁ ବଦଳାଇ ପାରିବାର ଉଦ୍ଦେଶ୍ୟ ରଖିଥାଇ ପାରନ୍ତି ।
ଆମେରିକାଠାରୁ କୌଣସି ଗୁଣରେ ପଛରେ ନାହିଁ ରୁଷ୍ । ରୁଷ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦୈନିକ ତୈଳ ଉତ୍ପାଦନକାରୀ ରାଷ୍ଟ୍ର । ରୁଷ ଦୈନିକ ୧୦.୭ ମିଲିୟନ ବ୍ୟାରେଲରୁ ଅଧିକ ତୈଳ ଉତ୍ପାଦନ କରିଥାଏ । ଡିଫେନ୍ସ ସେକ୍ଟରରେ ରୁଷର ବଜେଟ୍ ବେଳକୁ ବେଳ ବଢ଼ିବାରେ ଲାଗିଛି । ଗତ ୨୦୨୦ରେ ରୁଷ ସେନା ପାଇଁ ୬୧.୭ ଅରବ ଡଲାର ଖର୍ଚ୍ଚ କରିଥିଲା । ପରମାଣୁ ହରିଆର ମାମଲାରେ ରୁଷ ଆମେରିକାଠାରୁ ଆଗରେ ରହିଛି । ୨୦୨୦ର ଏକ ରିପୋର୍ଟ ମୁତାବକ, ଆମେରିକା ପାଖରେ ୫୮୦୦ ପରମାଣୁ ହତିଆର ରହିଥିବା ବେଳେ ରୁଷ୍ ପାଖରେ ୬୩୭୫ଟି ରହିଛି ।