ଗୋଟିଏ ପଟେ ଋଷ-ୟୁକ୍ରେନ ଯୁଦ୍ଧ ଚାଲୁଥିବାବେଳେ ଅନ୍ୟପଟେ ଋଷ ବୁଧବାର ଏହାର ସାରମାଟ ଇଣ୍ଟରକଣ୍ଟିନେଟାଲ ବାଲିଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ କରିଛି । ରାଷ୍ଟପତି ଭ୍ଲାଦିମିର ପୁଟିନ୍ କହିଛନ୍ତି ଏହି ମିସାଇଲର ସଫଳ ପରୀକ୍ଷଣ ପରେ ଋଷ ସେନାର ଶକ୍ତି ବଢ଼ିବ । ଯାହା ଋଷର ଶତ୍ରୃଙ୍କୁ ଋଷ ଉପରେ ଆକ୍ରମଣ କରିବା ଉପରେ ପୁନଃ ବିଚାର କରିବାକୁ ବାଧ୍ୟ କରିବ । ଏହି ବାଲିଷ୍ଟିକ୍ ମିସାଇଲ ନ୍ୟୁକ୍ଲିୟର ଆକ୍ରମଣ କରିବାର କ୍ଷମତା ରଖିଛି । ।
ଏକ ଟିଭି କାର୍ଯ୍ୟକ୍ରମରେ ସେନାକୁ ଶୁଭେଚ୍ଛା ଜଣାଇବା ସହ ପୁଟିନ କହିଛନ୍ତି ଯେ ଏହା ସଂପୂର୍ଣ୍ଣ ନୂଆ ପୀଢ଼ିର ମିସାଇଲ । ସେ କହିଛନ୍ତି ଏହି ମିସାଇଲ ସେନାରେ ସାମିଲ ପରେ ସେନାର ଶକ୍ତି ଆହୁରି ବଢ଼ିବ । ଫଳରେ ବାହ୍ୟ ଶତ୍ରୃଙ୍କୁ ଋଷିଆ ଉପରେ ଆକ୍ରମଣ କରିବାକୁ ପୂର୍ବରୁ ଦୁଇ ଥର ଭାବିବାକୁ ପଡ଼ିବ ।
ଋଷ ରକ୍ଷା ମନ୍ତ୍ରାଳୟ ତରଫରୁ ମିସାଇଲ ସଫଳ ପରୀକ୍ଷଣ ନେଇ ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ପରୀକ୍ଷଣ ଉତ୍ତର ଋଷର ପ୍ଲେସେସ୍କ କସମୋଡ୍ରୋମ ଅଞ୍ଚଳରେ କରାଯାଇଥିଲା । ମିଶାଇଲ ଏହାର ଲକ୍ଷ ସ୍ଥଳକୁ ଭେଦ କରିବାରେ ସକ୍ଷମ ହୋଇଛି । ସାରମାଟ ହେଉଛି ବିଶ୍ୱରେ ସବୁଠୁ ଶକ୍ତିଶାଳୀ ମିସାଇଲ ଯାହା ଅଧିକ ରେଞ୍ଜ ପର୍ଯର୍୍ୟନ୍ତ ଯାଇପାରିବ ଏବଂ ଟାର୍ଗେଟକୁ ଧ୍ୱଂସ କରିପାରିବ । ଏହାର ମାରକ ଶକ୍ତି ଦେଶର ନ୍ୟୁକ୍ଲିୟର ଶକ୍ତିକୁ ବଢ଼ାଇବ ।
ସାରମାଟ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ ଆଣ୍ଟି ମିସାଇଲ ସିଷ୍ଟମକୁ ଚକମା ଦେବାରେ ମଧ୍ୟ ସକ୍ଷମ । ଏହାର ୨୦୦ ଟନର ଓଜନର ବିସ୍ଫୋରକ ବହନ କରିପାରିବ । ପୁଟିନ କହିଛନ୍ତି ଏହା ପୃଥିବୀରେ କୌଣସି ବି ଟାର୍ଗେଟକୁ ଧ୍ୱଂସ କରିପାରିବ ।