ସାଇ ବାବାଙ୍କ ମନ୍ଦିର ଚୋରି ଘଟଣାର ଅଜବ ଦୃଶ୍ୟ: ମୁଣ୍ଡିଆ ମାରି ସବୁ ପୋଛିନେଲେ ଚୋର

ଜଣେ ମୁଣ୍ଡିଆ ମାରିଲା, ଆଉ ଜଣେ ବାବାଙ୍କ ଦେହରୁ ଗହଣା ଖୋଲି ନେଲା। ମନ୍ଦିରର ମୂଲ୍ୟବାନ ଜିନିଷ ଲୁଟିନେଲେ ୩ ଜଣ ଚୋର। ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ।

ଭଂଜନଗର: (ଓଡ଼ିଶା ଭାସ୍କର) ଜଣେ ମୁଣ୍ଡିଆ ମାରିଲା, ବାବାଙ୍କ ଦେହରୁ ସବୁ ଗହଣା ଖୋଲି ନେଲା। ଦୁଇ ସହଯୋଗୀଙ୍କ ସହ ମନ୍ଦିରର ମୂଲ୍ୟବାନ ଜିନିଷ ଲୁଟିନେଇ, କଳାକନା ବୁଲାଇଦେଲା।‌

ଏମିତି କିଛି ଦୃଶ୍ୟ, ଭଂଜନଗର ସିରିଡ଼ି ସାଇ ବାବାଙ୍କ ମନ୍ଦିରରେ ଦେଖିବାକୁ ମିଳିଥିଲା। ୩ ଜଣ ଚୋରଙ୍କ ମଧ୍ୟରୁ ଜଣେ ଚୋର, ବାବାଙ୍କ ଆସ୍ଥାନ ଉପରକୁ ଚଢିବା ପୂର୍ବରୁ, ପ୍ରଥମେ ମୁଣ୍ଡିଆ ମାରିଲା, ତା’ପରେ ଗୋଟିଏ ପରେ ଗୋଟିଏ ଅଳଙ୍କାର ଚୋରି କରିବା ଆରମ୍ଭ କରିଥିଲା।

ଏମିତି ଭାବରେ ମନ୍ଦିର ଭିତରେ ବିଳମ୍ବିତ ରାତିରେ ପଶି, ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନା, ରୂପା ଏବଂ ନଗଦ ଟଙ୍କା, ମିଳିମିଶି ଚୋରିକରି ନେଇଗଲେ, ସଂପୃକ୍ତ ଦୁର୍ବୃତ୍ତ ମାନେ।

ଖାଲି ସେତିକି ନୁହେଁ, ମନ୍ଦିର ହତା ଭିତରକୁ ଏକ ବଡ଼ ନିଶୁଣି ଧରି ଆସିଥିଲେ ସଂପୃକ୍ତ ଦୁର୍ବୃତ୍ତ ମାନେ। ନିଶୁଣି ସାହାଯ୍ୟରେ ସାଇବାବାଙ୍କ ମନ୍ଦିର ଭିତରେ ପଶିଥିଲେ।

ଏହା ବ୍ୟତୀତ ଆଉ ଏକ ଚିତ୍ର ନଜର କୁ ଆସିଛି। ଜଣେ ମହିଳା ବେଶଧାରୀ ଲୁଟେରା ମଧ୍ୟ ସାଥିରେ ରହିଥିଲା। ଦେଖିବାକୁ ବଡ଼ ଅଜବ ମନେହେଉଛ, ଚୋରି ସମୟର ଏହି ଭିଡ଼ିଓ ଫୁଟେଜ୍।

ପ୍ରକୃତରେ ଦୁଇ ଚୋରଙ୍କ ସହିତ, ଜଣେ  ଚୋରଣୀ ମଧ୍ୟ ଆସିଥିଲା , ନା’ ଚୋର ଜଣକ ମହିଳା ବେଶ ଧାରଣ କରିଥିଲା …?  ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସାହାଯ୍ୟରେ ପୋଲିସ ତଦନ୍ତ ଜାରି ରଖିଛି।

କିଛି ସନ୍ଦିଗ୍ଧ ଙ୍କୁ ନିଜ ସ୍କାନର୍ ରେ ରଖିଛି ପୋଲିସ୍। ଘଟଣାକୁ ଦୁଇଦିନ ବିତି ଯାଇଛି। ପଲିସ୍ ପକ୍ଷରୁ ଏସଂକ୍ରାନ୍ତରେ କୌଣସି ସୂଚନା ଦିଆଯାଇନାହିଁ। ଜଣାପଡ଼ୁଛି, ଏକ୍ଷେତ୍ରରେ ପୋଲିସ ଅତିଶୀଘ୍ର ପର୍ଦ୍ଦାଫାଶ କରିପାରେ।

ତେବେ ଏହି ଘଟଣାକୁ ନେଇ ସହର ସାରା ଚର୍ଚ୍ଚା ହେଉଛି, ସାଇବାବା ଙ୍କୁ ମୁଣ୍ଡିଆ ମାରି ତାଙ୍କର ସବୁ ଚୋରିକରି ନେଇଥିବା ଚୋରଙ୍କୁ ଭଗବାନ ସହାୟ ହେଉଛନ୍ତି, ନା’ ଚୋରଙ୍କୁ ଧରା ପକାଉଛନ୍ତି।