ଚଳିତ ଆର୍ଥିକ ବର୍ଷରେ ବଢିନାହିଁ ୬୦ ପ୍ରତିଶତ କର୍ମଚାରୀଙ୍କ ଦରମା, କର୍ମଚାରୀଙ୍କୁ ମିଳିଛି ବିକଳ୍ପ ଉପାୟରେ ପ୍ରୋତ୍ସାହନ
ନୂଆଦିଲ୍ଲୀ:ଜବ୍ ଆଗ୍ରିଗେଟର ପ୍ଲାଟଫର୍ମ ‘ଫାଉଣ୍ଡଇଟ୍ ‘(ମନଷ୍ଟର APAC and ME) ର ଏକ ରିପୋର୍ଟ ଏବେ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏହି ରିପୋର୍ଟ ଅନୁସାରେ ଭାରତରେ ୬୦ ପ୍ରତିଶତ କର୍ମଚାରୀଙ୍କର ଚଳିତ ମୂଲ୍ୟାଙ୍କନ ଋତୁରେ କୌଣସି ଦରମା ବୃଦ୍ଧି ହୋଇନାହିଁ ।
ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଥିବା (୦ରୁ ୩ ବର୍ଷ ଅନୁଭୂତି) ୬୨ ପ୍ରତିଶତ କର୍ମଚାରୀ ଦାବୀ କରିଛନ୍ତି ଯେ, ଚଳିତ ବର୍ଷ ସେମାନଙ୍କ ଦରମାରେ କୌଣସି ବୃଦ୍ଧି ଘଟିନାହିଁ । ତେବେ ୧୦ ପ୍ରତିଶତ କର୍ମଚାରୀଙ୍କ ଦରମାରେ ମାତ୍ର ୫ରୁ ୧୦ ପ୍ରତିଶତ ବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ୯ ପ୍ରତିଶତ କର୍ମଚାରୀଙ୍କ ଦରମା ୦ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି ।
ତେବେ ବିଭିନ୍ନ କଂପାନୀ ଦରମା ବୃଦ୍ଧି ପରିବର୍ତ୍ତେ କର୍ମଚାରୀଙ୍କୁ ଅନ୍ୟ ବିକଳ୍ପ ଉପାୟରେ କ୍ଷତିପୂରଣ ପ୍ରଦାନ କରିଛନ୍ତି । ଫାଉଣ୍ଡଇଟ୍ ର ସିଇଓ ଶେଖର ଗାରିସା କହିଛନ୍ତି , ଆମର ମୂଲ୍ୟାୟନ ଏହା ଦର୍ଶାଇଛି ଯେ, କମ୍ପାନୀଗୁଡିକ ଦରମା ବୃଦ୍ଧି ପରିବର୍ତ୍ତେ ଅନ୍ୟ ବିକଳ୍ପ ଯେପରିକି ଇଏସଓପିଏସ୍, ବୋନସ୍ ଓ ପମୋଶନ ଉପରେ ଧ୍ୟାନ ଦେଇଛନ୍ତି । ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୪୯ ପ୍ରତିଶତ କର୍ମଚାରୀ ଯେଉଁମାନଙ୍କର କୌଣସି ଦରମା ବୃଦ୍ଧି ଘଟିନାହିଁ ସେମାନଙ୍କୁ ପ୍ରୋତ୍ସାହନ ସ୍ୱରୂପ ଏମ୍ପ୍ଲୟି ଷ୍ଟକ ଓନରସିପ୍ ପ୍ଲାନ(ଇଏସଓପିଏସ୍), ବୋନସ୍ ଆଦି ପ୍ରଦାନ କରାଯାଇଛି ।ଏହା ବ୍ୟତିତ ୨୦ ପ୍ରତିଶତ ନୂଆ କର୍ମଚାରୀଙ୍କୁ ତୁରନ୍ତ ଆର୍ଥିକ ପ୍ରୋତ୍ସାହନ ସ୍ୱରୂପ ପ୍ରମୋଶନ ମଧ୍ୟ ଦିଆଯାଇଛି ।
ଅନ୍ୟପକ୍ଷରେ ଚିକିତ୍ସା ସେବା ଏବଂ ବିପଓ ଓ ଆଇଟିଇଏସ୍ ଶିଳ୍ପ କ୍ଷେତ୍ରରେ ଚଳିତ ବର୍ଷ କର୍ମଚାରୀଙ୍କ ଦରମା ବୃଦ୍ଧି ପରିଲକ୍ଷିତ ହୋଇଛି । ଚିକିତ୍ସାସେବା କ୍ଷେତ୍ରରେ ୨୯ ପ୍ରତିଶତ କର୍ମଚାରୀଙ୍କର ୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଦରମା ବୃଦ୍ଧି ଘଟିଛି । ସେହିପରି ୨୭ ପ୍ରତିଶତ କର୍ମଚାରୀଙ୍କର ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ଦରମା ବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ବିପିଓ ଓ ଆଇଟି ସେକ୍ଟରରେ ୪୯ ପ୍ରତିଶତ କର୍ମଚାରୀଙ୍କର ଚଳିତ ଆର୍ଥିକ ବର୍ଷରେ ୦ରୁ ୫ ପ୍ରତିଶତ ପ୍ରୋତ୍ସାହନ ରାଇ ଓ ୨୬ ପ୍ରତିଶତ କର୍ମଚାରୀଙ୍କର ୫ରୁ ୧୦ ପ୍ରତିଶତ ଦରମା ବୃଦ୍ଧି ଘଟିଛି ।
ସେହିପରି ବିଏଫଏସଆଇ ଶିଳ୍ପରେ ୨୦ ପ୍ରତିଶତ କର୍ମଚାରୀ ଙ୍କର ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ଦରମା ବୃଦ୍ଧି ଘଟିଛି ଓ ୩୦ ପ୍ରତିଶତ କର୍ମଚାରୀଙ୍କର ୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଦରମା ବୃଦ୍ଧି ହୋଇଛି । ଆଇଟି କ୍ଷେତ୍ରରେ ମଧ୍ୟ ଏହି ଏକା ପ୍ରକାର ଟ୍ରେଣ୍ଡ ଦେଖାଦେଇଛି ।
ତେବେ ରିପୋର୍ଟ ଅନୁଯାୟି ୩୮ ପ୍ରତିଶତ କର୍ମଚାରୀଙ୍କ ମତ ଚଳିତ ବର୍ଷ ସେମାନଙ୍କ ଦରମା ବୃଦ୍ଧି ସେମାନଙ୍କ ଆଶାନୁଯାୟୀ ହୋଇଥିବା ବେଳେ ୫୨ ପ୍ରତିଶତ ମତ ରଖିଛନ୍ତି ସେମାନେ ଚଳିତ ବର୍ଷ ଆଶାଜନକ ଦରମାବୃଦ୍ଧି ପାଇପାରି ନାହାନ୍ତି । ପରିଣାମ ସ୍ୱରୂପ ୭୬ ପ୍ରତିଶତ କର୍ମଚାରୀ ଚାକିରି ପରିବର୍ତ୍ତନ ଲାଗି ନିଷ୍ପତ୍ତି ନେଇଛନ୍ତି ।