fbpx

ଶିକ୍ଷକଙ୍କ ଦରମାରେ ବ୍ୟାପକ ଅବ୍ୟବସ୍ଥା;କାଠ ଗଢ଼ାରେ ଶିକ୍ଷା ବିଭାଗ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଶିକ୍ଷକ ବିଭାଗରେ ବିଭିନ୍ନ ସମୟରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ପୁଣି ଜିଲ୍ଲାର ଏକ୍ସ କେଡ଼ର ଶିକ୍ଷକ ସଂଘ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଯାହା ଶିକ୍ଷା ବିଭାଗକୁ କାଠ ଗଢ଼ାରେ ଛିଡା କରାଇଛି । ତେବେ ଏହି ଅଭିଯୋଗ ଅନୁସାରେ ଶିକ୍ଷକଙ୍କ ଗୋଟିଏ ମାସର ଦରମାରେ ଜାଲିଆତି ହୋଇଛି । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକରେ କାର୍ଯ୍ୟରତ ୧୭୧ ଜଣ ଏକ୍ସ କେଡ଼ର ଶିକ୍ଷକଙ୍କ ଅକ୍ଟୋବର ମାସର ଦରମା ଆସିବାରେ ବିଳମ୍ବ ହୋଇଛି । ଏହାପରେ ଶିକ୍ଷକମାନେ ତୁରନ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱରାସ୍ତ ହୋଇଛନ୍ତି ।

ତେବେ ଏହି ଏକ୍ସ କେଡ଼ର ଶିକ୍ଷକମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତାଙ୍କ ଦରମା ବିଳମ୍ବ ହେବା ନେଇ ଅଭିଯୋଗ କରିଥିଲେ । ଏହାପରେ ଦରମା ପ୍ରଦାନ ଦାୟିତ୍ୱରେ ଥିବା ଆକାଉଣ୍ଟଟେଣ୍ଟ ସୁଚିଶ୍ମିତା, ଦରମା ଟଙ୍କା ବ୍ୟାଙ୍କରେ ଡିପୋଜିଟ କରାଯାଇଥିବା କହିଥିଲେ । ତେବେ ଶିକ୍ଷକମାନେ ବ୍ୟାଙ୍କକୁ ଯାଇ ସେଠାରେ ଦରମାର ଯାଞ୍ଚ କରିଥିବାବେଳେ ମାତ୍ର ୪୮ ଜଣ ଶିକ୍ଷକଙ୍କ ଦରମା ବ୍ୟାଙ୍କରେ ଜମା ହୋଇଥିବା ଜାଣିବାକୁ ପାଇଥିଲେ । ଅନ୍ୟ ଶିକ୍ଷକଙ୍କ ଦରମା ଜମା ହୋଇ ନଥିବା ନେଇ ବ୍ୟାଙ୍କ କର୍ମଚାରୀ ସୂଚନା ଦେବା ପରେ ଏହାକୁ ନେଇ ଶିକ୍ଷକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଏହି ଶିକ୍ଷକମାନେ ବ୍ୟାଙ୍କରୁ ମିଳିଥିବା ତଥ୍ୟ ସମଗ୍ର ଶିକ୍ଷା ବ୍ୟବସ୍ଥା ରେ ଚାଲିଥିବା ଜାଲିଆତିକୁ ପଦାରେ ପକାଇ ଦେଇଛନ୍ତି । ବ୍ୟାଙ୍କ ପକ୍ଷରୁ ଏକ୍ସ କେଡ଼ର ଶିକ୍ଷକମାନଙ୍କୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଶିକ୍ଷା ବିଭାଗ ପକ୍ଷରୁ ବ୍ୟାଙ୍କକୁ ଦେଇଥିବା କାଗଜପତ୍ରରେ ବିଗତ ୪ ମାସ ତଳେ ଅବସର ଗ୍ରହଣ କରିଥିବା ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତଙ୍କ ଦସ୍ତଖତ ରହିଛି । ତେବେ ବ୍ୟାଙ୍କରେ ଦାଖଲ ହୋଇଥିବା କାଜପତ୍ରରେ ଜଣେ ଅବସର ପ୍ରାପ୍ତ ଅଧିକାରୀଙ୍କ ଦସ୍ତଖତ କିପରି ଲାଗିଲା ତାହା ତଦନ୍ତ ସାପେକ୍ଷ ବୋଲି ଏକ୍ସ କେଡ଼ର ଶିକ୍ଷକସଂଘ ଦାବି କରିଛି ।

ଏନେଇ ବ୍ଲକ ଏକ୍ସ କେଡ଼ର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।ସେପଟେ ତଦନ୍ତ ଆରମ୍ଭରୁ ହିଁ ଆକାଉଣ୍ଟଟେଣ୍ଟ ସୁଚିଶ୍ମିତା ସ୍ୱାର ଫେରାର ମାରିଛନ୍ତି । ଯାହାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ ଆକାଉଣ୍ଟଟେଣ୍ଡଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତଙ୍କୁ ପଚାରିବାରୁ ତାଙ୍କ ଦସ୍ତଖତ ଜାଲିଆତି କରାଯାଇଥିବାବେଳେ , ସେ ଏଘଟଣା ସମ୍ପର୍କରେ ଅବଗତ ନଥିବା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରୁବାରୁ ଏହାର ତଦନ୍ତ ଚାଲିଛି, ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.