‘ଯଦି ସଲମାନ ଖାନ ବଞ୍ଚିବାକୁ ଚାହୁଁଛନ୍ତି ତେବେ..’, ଲରେନ୍ସ ବିଷ୍ଣୋଇ ନାମରେ ପୁଣି ମିଳିଲା ଧମକ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣିଥରେ ଲରେନ୍ସ ବିଷ୍ଣୋଇ ନାମରେ ଧମକ ମିଳିଛି । ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ସେଲକୁ ଲରେନ୍ସ ବିଷ୍ଣୋଇ ନାମରେ ଧମକପୂର୍ଣ୍ଣ ମେସେଜ ମିଳିଛି । ପୋଲିସ ଆଗକୁ କହିଛି ଯେ, ଟ୍ରାଫିକ କଣ୍ଟ୍ରୋଲ ରୁମକୁ ପଠାଯାଇଥିବା ମେସେଜରେ ଦାବି କରାଯାଇଛି, ‘ଲରେନ୍ସ ବିଷ୍ଣୋଇଙ୍କ ଭାଇ କହୁଛି, ଯଦି ସଲମାନ ଖାନ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ସେ ଆମ ମନ୍ଦିରକୁ ଯାଇ କ୍ଷମା ମାଗନ୍ତୁ, ବା ୫ କୋଟି ଟଙ୍କା ଦିଅନ୍ତୁ । ଏପରି ନ କଲେ ଜୀବନରୁ ମାରି ଦେବୁ, ଆଜି ବି ଆମ ଗ୍ୟାଙ୍ଗ ସକ୍ରିୟ ରହିଛି ।’

ପୋଲିସ ଆହୁରି କହିଛି ଯେ, ଏହି ଧମକପୂର୍ଣ୍ଣ ମେସେଜର ସୂଚନା ସୋମବାର ମିଳିଥିଲା, ଯେବେ ଅଧା ରାତିରେ ଟ୍ରାଫିକ କଣ୍ଟ୍ରୋଲ ରୁମରେ କାମ କରୁଥିବା ଅଧିକାରୀ ଏହାକୁ ପଢିଥିଲେ । ପୋଲିସ ବର୍ତ୍ତମାନ ଧମକ ଦେଇଥିବା ଲୋକକୁ ଖୋଜୁଛି ।

କିଛି ଦିନ ପୂର୍ବରୁ ସଲମାନ ଖାନଙ୍କୁ ଜୀବନରୁ ମାରିବାର ଧମକ ମିଳିଥିଲା । ଏହି ମାମଲାରେ ପୋଲିସ ନୋଏଡାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ବର୍ଲୀ ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ, ମୁମ୍ବାଇ ପୋଲିସର ଟ୍ରାଫିକ ହେଲପଲାଇନ ନମ୍ବରରେ ଅନେକ ହ୍ୱାଟ୍ସଆପ ମେସେଜ ପଠାଇ, ବଲିଉଡ ସୁପରଷ୍ଟାରଙ୍କଠାରୁ ୨ କୋଟି ଟଙ୍କାର ଦାବି କରୁଥିବାର ମାମଲା ରୁଜ୍ଜୁ କରିଥିଲା ।