ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ପରାଜୟର ପ୍ରଭାବ ଭାରତୀୟ ଦଳ ଏବଂ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଦେଖିବାକୁ ମିଳିବ । ବିଶେଷ କରି ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ଏସିଆ କପ୍ ଦଳରେ ସାମସନଙ୍କୁ ସୁଯୋଗ ମିଳିବା କଷ୍ଟକର ହୋଇପାରେ । ପୁଣିଥରେ ଭାରତୀୟ ଦଳରୁ ବାଦ୍ ପଡ଼ିପାରନ୍ତି ସଞ୍ଜୁ ସାମସନ । ତେବେ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଷ୍ଟାର ଖେଳାଳିଙ୍କୁ ଦଳରେ ସାମିଲ କରିପାରେ ଟିମ ମ୍ୟାନେଜମେଣ୍ଟ ।
ସୂଚନା ଅନୁସାରେ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଭାରତ ନିଜର ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଦଳ ଘୋଷଣା କରିପାରେ । ତେବେ ଏହି ଦଳରେ ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ ଦୁର୍ବଳ ପ୍ରଦର୍ଶନ ସଞ୍ଜୁଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ୱିଣ୍ଡିଜ ବିପକ୍ଷ ୩ଟି ଟି-୨୦ରେ ଯତାକ୍ରମେ ୧୨, ୭ ଏବଂ ୧୩ କରିବାରେ ସମର୍ଥ ହୋଇଛନ୍ତି ସଞ୍ଜୁ ସାମସନ । ତେବେ ଦିନିକିଆ ସିରିଜରେ ଗୋଟିଏ ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ତେଣୁ ଏସିଆ କପ୍ ଭଳି ଟୁର୍ଣ୍ଣାମେଣ୍ଟରେ ସେ ବାଦ୍ ପଡ଼ିପାରନ୍ତି । ତେବେ ତାଙ୍କ ସ୍ଥାନରେ କେ.ଏଲ ରାହୁଲ ଦଳକୁ କମବ୍ୟାକ କରିବେ ବୋଲି ଆଶା କରାଯାଉଛି । ଆହତ ସମସ୍ୟାରୁ ସୁସ୍ଥ ହୋଇ ସେ ବ୍ୟାଟିଂ କରିବା ସହ ୱିକେଟ କିପିଙ୍ଗ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ତେଣୁ ଏସିଆ କପ୍ ପାଇଁ ତାଙ୍କୁ ଦଳରେ ସାମିଲ କରିପାରେ ବିସିସିଆଇ ।
ଏହାବ୍ୟତୀତ ସଞ୍ଜୁଙ୍କ ସ୍ଥାନରେ ଇଶାନ କିଶାନ ମଧ୍ୟ ଦଳରେ ସାମିଲ ରହିବେ । ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନ କରି ସେ ଦଳରେ ନିଜ ସ୍ଥାନ ପକ୍କା କରିଛନ୍ତି । ତେବେ ସେ ପ୍ଲେଇଙ୍ଗ-୧୧ରେ ସୁଯୋଗ ପାଇଲେ ତାଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଚିନ୍ତାରେ ପଡ଼ିପାରନ୍ତି ଅଧିନାୟକ ରୋହିତ । ସେପଟେ ଶ୍ରେୟସ ଆୟର ଆହତ ସମସ୍ୟାରୁ ସମ୍ପୂର୍ଣ୍ଣର୍ ରୂପେ ସୁସ୍ଥ ହୋଇ ନାହାନ୍ତି । ତେବେ ରାହୁଲ ଏବଂ ଶ୍ରେୟସଙ୍କ ଚୟନକୁ ନେଇ ଖୁବଶୀଘ୍ର ଶେଷ ନିଷ୍ପତ୍ତି ନେବ କ୍ରିକେଟ ବୋର୍ଡ । ଅନ୍ୟ ପକ୍ଷରେ ଫାଷ୍ଟ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ନେଇ ମଧ୍ୟ ବିସିସିଆଇ ଦ୍ୱନ୍ଦ୍ୱରେ ପଡ଼ିଛି । ଆରଲାଣ୍ଡ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କଲେ ସେ ଭାରତୀୟ ଦଳରେ ପୁଣିଥରେ କମବ୍ୟାକ କରିପାରନ୍ତି । ଏସିଆ କପ୍ ପାଇଁ ମଧ୍ୟ ତାଙ୍କୁ ଦଳରେ ସୁଯୋଗ ଦେଇପାରେ ବିସିସିଆଇ ।