ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପବିତ୍ର ଅକ୍ଷୟ ତୃତୀୟାରେ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦଘାଟିତ ହୋଇଛି । ପବିତ୍ର ଦିବସରେ ତ୍ୟାଗ ଓ ଖୁସିର ପ୍ରତୀକ ଶଙ୍ଖ ଭବନକୁ ଉଦଘାଟନ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜଧାନୀ ଭୁବନେଶ୍ୱରର ୟୁନିଟ-୬ ସ୍ଥିତ ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିରାଟକାୟ ଶଙ୍ଖ ପ୍ରତିମୂର୍ତ୍ତି ରହିଛି । ଆଜିର ଶୁଭ କାର୍ଯ୍ୟକ୍ରମରେ ଦଳର ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ, ବରିଷ୍ଠ ନେତା, କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ଶଙ୍ଖ ଭବନକୁ ଉଦଘାଟନ କରିବା ଅବସରରେ ନବୀନ କହିଥିଲେ, ସାଢ଼େ ଚାରି କୋଟି ଓଡ଼ିଆ ଏଣିକି ଶୁଭ ଶଙ୍ଖର ସ୍ୱର ଶୁଣିବେ । ପବିତ୍ର ଅକ୍ଷୟ ତୃତୀୟା ଦିବସରେ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଶଙ୍ଖ ଭବନକୁ ସମର୍ପିତ କରି ମୁଁ ବହୁତ ଖୁସି ଅନୁଭବ କରୁଛି । ଗତ ୧୯୯୭ରେ ଓଡ଼ିଶା ରାଜନୀତିରେ ଏକ ନୂଆ ଯୁଗ ଆରମ୍ଭ ହୋଇଥିଲା । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମହାନ୍ ଆଦର୍ଶରେ ବିଜେଡି ଜନ୍ମଲାଭ କରିଥିଲା ।
ଓଡ଼ିଶାର ବର୍ତ୍ତମାନ, ଅତୀତ ଓ ଭବିଷ୍ୟତକୁ ଏକତ୍ର କରିବା ଦିଗରେ ଶଙ୍ଖ ଭବନ ପ୍ରତିଶ୍ରୁତିବଦ୍ଧ । ଏଥିସହିତ ରାଜ୍ୟବାସୀଙ୍କ ସୁରକ୍ଷା, ସ୍ୱାଭିମାନକୁ ଗୁରୁତ୍ୱ ଦେବା ସହ ସଂସ୍କୃତିର ବିକାଶ ଦିଗରେ ଶଙ୍ଖ ଭବନ ସମର୍ପିତ ହେବ । ସମସ୍ତ ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାନ ସଂସ୍କୃତିର ପ୍ରଚାର ପ୍ରସାର କରାଯାଇ ତାହାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ନେଇ ପ୍ରୟାସ କରାଯିବ । ସୂଚନାଯୋଗ୍ୟ ଯେ, ଶଙ୍ଖ ଭବନର ସମ୍ମିଳନୀ କକ୍ଷଗୁଡ଼ିକରେ ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ସାରଳା ଦାସ, ବୀର ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାୟକ, ବିର୍ସା ମୁଣ୍ଡା, ଫକିରମୋହନ ସେନାପତି, ଗଙ୍ଗାଧର ମେହେରଙ୍କ ବରି ଓଡ଼ିଆ ବରପୁତ୍ରଙ୍କର କଳାକୃତୀ ଶୋଭା ପାଇବ ।