fbpx

ଗଣତନ୍ତ୍ରର ମଜାକ୍ ଉଡିଲା : ୪୪ଲକ୍ଷରେ ନିଲାମ ହେଲା ସରପଞ୍ଚ ପଦ, ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୋଟଦାନ ସମସ୍ତ ଭୋଟରଙ୍କ ସାମ୍ବିଧାନିକ ଅଧିକାର । ଆମର ସମ୍ବିଧାନ ଏବଂ ଗଣତନ୍ତ୍ର ଆମକୁ ଏହି ଅଧିକାର ପ୍ରଦାନ କରୁଛି । ଏମିତି ଏକ ସ୍ଥିତିରେ କିନ୍ତୁ ଗଣତନ୍ତ୍ରର ମଜାକ ଉଡିଛି । ନିଲାମ ହୋଇଛି ସରପଞ୍ଚ ପଦବୀ । ୪୪.୧୦ ଲକ୍ଷ ଟଙ୍କାରେ ସରପଞ୍ଚ ପଦବୀ ନିଲାମ ହୋଇଛି । ଆସନ୍ତା ଫେବୃୟାରୀରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଗଣତନ୍ତ୍ର ହାସ୍ୟାସ୍ପଦ ହେଶଇଛି । ଏମିତି ଏକ ଘଟଣା ଘଟିଛି ବଲାଙ୍ଗଗୀରର ଏକ ଉପାନ୍ତ ଅଞ୍ଚଳ ବିଲାଇ ସାରଦା ଗ୍ରାମରେ ।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ରହିଥିବା ବେଳେ ଏହାର ୨୨ ଗୁଣା ଅଧିକ ଅର୍ଥରେ ସରପଞ୍ଚ ପଦବୀ ହାତେଇଛନ୍ତି ପ୍ରାର୍ଥୀ । ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଯିଏ ସର୍ବାଧିକ ଅର୍ଥ ଦେବ ସେ ହିଁ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବ ବୋଲି ଏହି ନିଲାମୀ କରାଯାଇଥିଲା । ବାଲିସାରଦା ପଞ୍ଚାୟତରେ ୩ଟି ଗ୍ରାମ ଏବଂ ୧୫ଟି ୱାର୍ଡ ରହିଛି । ସମୁଦାୟ ୨୦୦୦ ଭୋଟର ରହିଥିବା ବେଳେ ସରପଞ୍ଚ ପଦବୀ ଅଣ ସଂରକ୍ଷିତ ରହିଛି । ସୁଶାନ୍ତ ଚତ୍ରିଆ ନାମକ ବ୍ୟକ୍ତି ସର୍ବାଧିକ ଅର୍ଥ ବିଡ କରିବା ସହିତ ଏହି ନିଲାମୀ ହାତେଇଥିଲେ । ସୁଶାନ୍ତ କହିଛନ୍ତି ୪ ପ୍ରାର୍ଥୀଙ୍କ ମଧ୍ୟରୁ ମୁଁ ସବୁଠୁ ଅଧିକ ଅର୍ଥ ବିଡ କରି ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେଲି । ସେହିପରି ଅନ୍ୟ ପ୍ରାର୍ଥୀ ମାନଙ୍କୁ ମଧ୍ୟ ଆମେ ସମାନ ଢଙ୍ଗରେ ନିର୍ବାଚିତ କରିବାକୁ ପ୍ରୟାସ କରୁଛୁ ବୋଲି ଚତ୍ରିଆ କହିଛନ୍ତି ।

ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି, ଏହି ଘଟଣା ସମ୍ପର୍କରେ କୌଣସି ଧାରଣା ନାହିଁ । ଏହାର ତଦନ୍ତ କରି ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ପ୍ରୟାସ କରିବୁ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ପଞ୍ଚାୟତ ବାସୀଙ୍କ ଭୋଟଦାନ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି ବୋଲି କିଛି ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ କିଛି ଗ୍ରାମବାସୀ ଏହାକୁ ସ୍ୱାଗତ କରିଛନ୍ତି । ନିର୍ବାଚନରେ ଟଙ୍କା ବଣ୍ଟାଯିବା ଅପେକ୍ଷା ଏହା ସମସ୍ତଙ୍କ ଉପକାରରେ ଲାଗିବା ଭଲ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.