fbpx

ସ୍ୱାଧୀନତା ଦିବସ ପୂର୍ବରୁ ମହାକାଶରେ ମୁତୟନ ହେବ ଉପଗ୍ରହ ଜିସାଟ୍-୧, ହାସଲ କରିବ ନୂଆ ସଫଳତା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରର ପ୍ରସ୍ତୁତି ମଧ୍ୟରେ ଭାରତ ଲଞ୍ଚ କରିବାକୁ ଯାଉଛି ନିଜର ବହୁ ପ୍ରତୀକ୍ଷିତ ଜିୟୋ ଇମେଜିଂ ଉପଗ୍ରହ ଜିସାଟ୍-୧ । ଅଗଷ୍ଟ ୧୨ ତାରିଖରେ ଏହାକୁ ଲଞ୍ଚ କରାଯିବ । ଇସ୍ରୋ ପକ୍ଷରୁ ଶ୍ରୀହରୀ କୋଟାସ୍ଥିତ ସତୀଶ ଧବନ ଅନ୍ତରିକ୍ଷ କେନ୍ଦ୍ରଠାରୁ ଅଗଷ୍ଟ ୧୨ ତାରିଖରୁ ଏହାକୁ ଲଞ୍ଚ କରାଯିବ । ଜିଏସଏଲବୀ-ଏଫ୍ ୧୦ ଜରିଆରେ ଏହାକୁ ଅନ୍ତରିକ୍ଷକୁ ଛଡ଼ାଯିବ । ଏହି ଉପଗ୍ରହର କୋଡନେମ୍ ରଖାଯାଇଛି ଇଓଏସ୍-୦୩ ।

ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଏହାକୁ ଅଗଷ୍ଟ ୧୨ ତାରିଖରେ ସକାଳ ୫ଟା ୪୩ ମିନିଟ୍ ରେ ପ୍ରକ୍ଷେପଣ କରାଯିବ । କିନ୍ତୁ ଏହାର ପ୍ରକ୍ଷେପଣ ପାଣିପାଗ ସ୍ଥିତି ଉପରେ ନିର୍ଭ କରୁଛି । ଇଓଏସ୍-୦୩ ହେଉଛି ଏକ ଅତ୍ୟାଧୁନିକ ଉପଗ୍ରହ । ଯାହାକୁ ଜିଏସଏଲବୀ-ଏଫ୍ ୧୦ ସହାୟତାରେ ପୃଥିବୀର କକ୍ଷରେ ସ୍ଥାପିତ କରାଯିବ । ଏପର୍ଯ୍ୟନ୍ତ ଏହା ପ୍ରକ୍ଷେପଣ କୋଭିଡ୍ ମହାମାରୀ କାରଣରୁ ହୋଇପାରିନଥିଲା ।

ମହାକାଶ ବିଭାଗର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ସଂସଦରେ ଦାବି କରିଛନ୍ତି ଯେ ଇଓଏସ୍-୦୩ ଦିନକୁ ୪-୫ ଥର ସମଗ୍ର ଦେଶକୁ ଚିତ୍ରଣ କରିବାରେ ସକ୍ଷମ ଏବଂ ଜଳ ଉତ୍ସ, ଫସଲ, ଉଦ୍ଭିଦ ସ୍ଥିତି ଏବଂ ଜଙ୍ଗଲ ଆବରଣ ପରିବର୍ତ୍ତନ ଉପରେ ନଜର ରଖିବାରେ ସକ୍ଷମ ହେବ । ଏହା ବନ୍ୟା ଏବଂ ଘୂର୍ଣ୍ଣିବଳୟ ବିଷୟରେ ମଧ୍ୟ ସଠିକ୍ ସୂଚନା ପ୍ରଦାନ କରିବ ।

Get real time updates directly on you device, subscribe now.