ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସୁପ୍ରିମକୋଟଙ୍କ ଠାରୁ ବଡ଼ ଝଟକା ଲାଗିଛି । ସୁପ୍ରିମକୋର୍ଟ କେବଳ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିନାହାଁନ୍ତି, ବରଂ ତୁରନ୍ତ ସରେଣ୍ଡର କରିବାକୁ କହିଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ଗତ ବର୍ଷ ମେ ମାସରୁ ଆପ୍ ନେତା ମଧ୍ୟବର୍ତ୍ତୀକାଳୀନ ଜାମିନରେ ଥିଲେ ।
ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ୨୦୨୨ ମସିହା ମେ ମାସରେ ଗିରଫ କରାଯାଇଥିଲା । ଗତ ବର୍ଷ ମେ ମାସରେ ଅସୁସ୍ଥତା କାରଣରୁ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା । ଏହା ପରେ ତାଙ୍କର ମଧ୍ୟବର୍ତ୍ତୀକାଳୀନ ଜାମିନ ଅନେକ ଥର ବୃଦ୍ଧି କରାଯାଇଥିଲା । ନିୟମିତ ଜାମିନ ପାଇଁ ସତ୍ୟନ୍ଦ୍ର ଜୈନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟ କେବଳ ତାଙ୍କ ଦାବିକୁ ଖାରଜ କରିନାହାଁନ୍ତି ବରଂ ତୁରନ୍ତ ସରେଣ୍ଡର କରିବାକୁ କହିଛନ୍ତି ।
ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ପଙ୍କଜ ମିତ୍ତଲ କହିଛନ୍ତି, ‘ଆବେଦନକୁ ଖାରଜ କରାଯାଇଛି । ତୁରନ୍ତ ସରେଣ୍ଡର କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବତନ ମନ୍ତ୍ରୀଙ୍କ ପାଇଁ ଲଢ଼ୁଥିବା ଆଡଭୋକେଟ ବିବେକ ଜୈନ ସତ୍ୟେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ଦର୍ଶାଇ ସରେଣ୍ଡର ପାଇଁ ଏକ ସପ୍ତାହ ଦାବି କରିଥିଲେ । କିନ୍ତୁ କୋର୍ଟ ମଧ୍ୟ ଏହି ଆବେଦନକୁ ଖାରଜ କରି ନିଜ ଆଦେଶକୁ ଜାରି ରଖିଛନ୍ତି ।
କୋର୍ଟଙ୍କ ନିର୍ଦ୍ଦେଶ ପରେ ସତ୍ୟେନ୍ଦ୍ର ଜୈନଙ୍କୁ ଆଜି ସରେଣ୍ଡର କରିବାକୁ ପଡ଼ିବ । ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀଙ୍କୁ ପୁଣି ଥରେ ତିହାର ଜେଲକୁ ଯିବାକୁ ପଡ଼ିବ । ୨୦୧୭ ରେ ଆପ୍ ନେତାଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଥିଲା । ଅଭିଯୋଗ ହୋଇଥିଲା ଯେ ସେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବାବେଳେ ଫେବୃଆରୀ ୨୦୧୫ ରୁ ମେ ୨୦୧୭ ମଧ୍ୟରେ ସେ ଅନୁପଯୁକ୍ତ ସମ୍ପତ୍ତି (ମୂଲ୍ୟ ୧.୪୭ କୋଟି ଟଙ୍କା) ହାସଲ କରିଥିଲେ । ଏହା ପରେ, ଇଡି ତାଙ୍କ ସହ ଜଡିତ ଥିବା ତିନିଟି କମ୍ପାନୀ ଉପରେ ମନି ଲଣ୍ଡରିଂ ଯାଞ୍ଚ ମଧ୍ୟ ଆରମ୍ଭ କରିଥିଲା । ମାମଲା ରୁଜୁ ହେବାର ୫ ବର୍ଷ ପରେ ଇଡି ତାଙ୍କୁ ଗିରଫ କରିଥିଲା । ଅନୁସନ୍ଧାନକାରୀ ସଂସ୍ଥା ୪.୬୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଜବତ କରିଛି ।