fbpx

ଆଜି ଶ୍ରାବଣ ମାସର ପ୍ରଥମ ସୋମ ପ୍ରଦୋଶ ଉପବାସ: ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ମହାଦେବଙ୍କ ପୂଜା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶ୍ରାବଣ ମାସରେ ପଡୁଥିବା ସୋମ ପ୍ରଦୋଶ ଉପବାସର ବିଶେଷ ମହତ୍ୱ ରହିଛି । ଏହି ଦିନ ଯେଉଁମାନେ ଆନ୍ତରିକତାର ସହିତ ଭଗବାନ ଶିବଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି , ସେମାନଙ୍କ ଜୀବନରେ ପ୍ରଭୁଙ୍କ କୃପାରୁ କୌଣସି ଦୁଃଖ କଷ୍ଟ ରହିନଥାଏ । ପ୍ରତିମାସ ତ୍ରୟୋଦଶୀ ତିଥୀ (କୃଷ୍ଣ ଏବଂ ଶୁକ୍ଳ ପକ୍ଷ)ରେ ଏହି ବ୍ରତ ପଡିଥାଏ । ସୋମବାର ଦିନ ଯଦି ପ୍ରଦୋଶ ବ୍ରତ ପଡେ ତେବେ ଏହାକୁ ସୋମ ପ୍ରଦୋଶ ବ୍ରତ କୁହାଯାଇଥାଏ । ସେହିପରି ଚଳିତ ବର୍ଷ ଶ୍ରାବଣ ମାସର ପ୍ରଥମ ସୋମ ପ୍ରଦୋଶ ଉପବାସ ଜୁଲାଇ ୨୫ ଅର୍ଥାତ୍ ଆଜି ପଡିଛି ।

ସୋମ ପ୍ରଦୋଶ ଉପବାସର ସମୟ : ସୋମ ପ୍ରଦୋଶ ବ୍ରତ ଶ୍ରାବଣ ମାସର କୃଷ୍ଣ ପକ୍ଷ ତିଥୀ ଜୁଲାଇ ୨୫ ତାରିଖ ଅର୍ଥାତ ଆଜି ଅପରାହ୍ନ ୪.୧୫ରୁ ଆରମ୍ଭ ହୋଇ ଆସନ୍ତା କାଲି ଅର୍ଥାତ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ପ୍ରଭୁ ମହାଦେବଙ୍କ ଉପାସନା ଓ ପୂଜା ଅର୍ଚ୍ଚନା ପାଇଁ ଆଜି ସନ୍ଧ୍ୟା ୦୭.୧୭ ରୁ ରାତି ୦୯.୨୧ପର୍ଯ୍ୟନ୍ତ ଶୁଭ ସମୟ ରହିଛି ।

ପ୍ରଦୋଶ ବ୍ରତର ମହତ୍ୱ : ଶ୍ରାବଣ ମାସରେ ପଡୁଥିବା ସୋମ ପ୍ରଦୋଶ ବ୍ରତ ବହୁତ ଶୁଭ ଓ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ଦିନ ଭଗବାନ ଶିବଙ୍କୁ ପୂଜା କରୁଥିବା ଲୋକମାନଙ୍କର ସମସ୍ତ ଦୁଖଃ କଷ୍ଟ ଦୂର ହେବା ସହ ମୃତ୍ୟୁ ପରେ ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ବିଶ୍ୱାସ ରହିଛି ଯେ ଗୋଟିଏ ପ୍ରଦୋଶ ଉପବାସ ଫଳ ଦୁଇଟି ଗୋମାତା ଦାନ କରିବା ସହିତ ସମାନ ହୋଇଥାଏ । ଏହି ବ୍ରତର ମହତ୍ୱକୁ ବେଦର ମହାଜ୍ଞାନୀ ପଣ୍ଡିତ ସୂତଜୀ ଗଙ୍ଗା ନଦୀ କୂଳରେ ଥିବା ଋଷି ଶୋନକାଦୀଙ୍କୁ କହିଥିଲେ । ସେ କହିଥିଲେ ଯେ କଳିଯୁଗରେ ଯେତେବେଳେ ଅନ୍ୟାୟ ,ଅତ୍ୟାଚାର ବଢିଯିବ ସେତେବେଳେ ଲୋକେ ଧର୍ମର ମାର୍ଗ ଛାଡି ଅଧର୍ମ ପଥକୁ ଆପଣାଇବେ । ଠିକ୍ ସେହି ସମୟରେ ପ୍ରଦୋଶ ବ୍ରତ ଏକ ମାଧ୍ୟମ ହେବ, ଯାହାଦ୍ୱାରା ସେମାନେ ପ୍ରଭୁ ଶିବଙ୍କୁ ଆରାଧନା କରି ତାଙ୍କ ପାପର ପ୍ରାୟଶ୍ଚିତ କରିବେ ।

ସୋମ ପ୍ରଦୋଶ ଉପବାସର ପୂଜା ବିଧି : ଯେକୌଣସି ପ୍ରଦୋଶ ଉପବାସରେ ଭଗବାନ ଶିବଙ୍କୁ ସୂର୍ଯ୍ୟାସ୍ତ ର ୪୫ ମିନିଟ୍ ପୂର୍ବରୁ ଓ ସୂର୍ଯ୍ୟାସ୍ତ ର ୪୫ ମିନିଟ୍ ପରେ ପୂଜା କରାଯାଏ । ସୋମ ପ୍ରଦୋଶ ବ୍ରତ ଦିନ ସକାଳୁ ସ୍ନାନ ସାରି ପରିଷ୍କାର ବସ୍ତ୍ର ପରିଧାନ କରି ଏକ ରୂପା କିମ୍ବା ତମ୍ବା ପାତ୍ରରେ ଶୁଦ୍ଧ ମହୁ ପ୍ରଭୁ ମହାଦେବଙ୍କୁ ଅର୍ପଣ କରାଯାଇଥାଏ । ଏହାପରେ ଶୁଦ୍ଧ ଜଳରେ ପ୍ରଭୁଙ୍କ ଅଭିଷେକ ହେବାସହ ଓମ୍ ସର୍ବସିଦ୍ଧି ପ୍ରଦାୟେ ନମଃ ମନ୍ତ୍ର ୧୦୮ ଥର ଜପ କରାଯାଇଥାଏ । ଆଜିର ଦିନରେ ମହାମୃତ୍ୟୁଞ୍ଜୟ ଜପ ମଧ୍ୟ କରାଯାଇଥାଏ । ଏପରି କରିବା ଦ୍ୱାରା ଜୀବନରୁ ସମସ୍ତ ଦୁଖଃ କଷ୍ଟ ଦୂର ହେବା ସହ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ହୋଇଥାଏ ।

Get real time updates directly on you device, subscribe now.