fbpx

ନିଜର ପ୍ରତିଶ୍ରୁତି ପୂରଣ କଲେ ମୋଦୀ ସରକାର ? SBI ରିପୋର୍ଟରେ ଦାବି- ୫ ବର୍ଷରେ ଦୁଇ ଗୁଣ ହୋଇଛି କୃଷକଙ୍କ ଆୟ

ନୂଆଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ସଂପର୍କରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)ଏକ ରିପୋର୍ଟ ଜାରି କରିଛି। ଦେଶର ଏହି ବଡ ବ୍ୟାଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନିଜର ପ୍ରତିଶ୍ରୁତି ପୂରଣ କରିଛନ୍ତି। କୃଷକଙ୍କ ଆୟ ଗତ ପାଞ୍ଚ ବର୍ଷରେ ଦୁଇ ଗୁଣ ହୋଇଥିବା ରିପୋର୍ଟରେ ଦାବି କରାଯାଇଛି।

ଏସବିଆଇ କହିଛି, ୨୦୧୭-୧୮ରୁ ୨୦୨୧-୨୨ ମଧ୍ୟରେ କୃଷଙ୍କ ଆୟ ବୃଦ୍ଧି ଘଟିଛି। ଖାଦ୍ୟ ଶସ୍ୟ ରପ୍ତାନୀ ବଢି ୫୦ ଅରବ ଡଲାରରୁ ଅଧିକ ହୋଇଛି। ଗତ ପାଞ୍ଚ ବର୍ଷରେ କୃଷକଙ୍କ ଆୟ ୧.୩ରୁ ୧.୭ ପର‌୍ୟ୍ୟନ୍ତ ବୃଦ୍ଧି ଦେଖିବାକୁ ମିଳିଛି। ଏହି ସମୟରେ କିଛି ଫସଲ ଯେପତିକି ମହାରାଷ୍ଟ୍ରରେ ସୋୟାବିନ ଏବଂ କର୍ଣ୍ଣାଟକରେ କପା ଚାଷ କରୁଥିବା କୃଷକଙ୍କ ଆୟ ଦୁଇ ଗୁଣ ବୃଦ୍ଧି ଘଟିଛି।

ଜାତୀୟ ପରିସଂଖ୍ୟାନ କାର‌୍ୟ୍ୟାଳୟ ମଧ୍ୟ କ଼ୃଷକଙ୍କ ଆୟ ଉପରେ ତଥ୍ୟ ଜାରି କରିଛି। ଏଥିରେ କୁହାଯାଇଛି ଯେ, ଛଅ ବର୍ଷରେ କୃଷକଙ୍କ ଆୟ ୫୯ ପ୍ରତିଶତରୁ ବଢି ୧୦,୨୧୮ ଟଙ୍କାରେ ପହଞ୍ଚିଛି।

ଏହି କାରଣ ଯୋଗୁଁ ବଢିଛି ଆୟ

୧ – ନଗଦ ଅର୍ଥ ଫସଲ ଉତ୍ପାଦନରେ ଲାଭ ପ୍ରଦାନ।
୨ – ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରୁ ବଡ ଲାଭ ମିଳିଛି।
୩ – ବିଭିନ୍ନ ପ୍ରକାରର ଚାଷ କରିବା ପାଇଁ ପ୍ରୋତ୍ସାହନ ଦେବା।
୪ – କିଷାନ କ୍ରେଡିଟ୍ କାର୍ଡ(କେସିସି)ରୁ ଆର୍ଥିକ ଆତ୍ମ ନିର୍ଭରତା।

ଜିଡିପିରେ ବଢିଲା କୃଷି ଭାଗିଦାରୀ

ଏସବିଆଇର ମୁଖ୍ୟ ଅର୍ଥଶାସ୍ତ୍ରୀ ସୌମ୍ୟ କାନ୍ତି ଘୋଷଙ୍କ ମତରେ କୃଷଙ୍କ ଆୟ ବଢିବାର ଗୋଟିଏ କାରଣ ସେମାନଙ୍କର ଚାଷ କରିବା ଶୈଳୀରେ ପରିବର୍ତ୍ତନ ଆସିଛି। ଏବେ କୃଷକ ପାରମ୍ପରିକ ଚାଷ କରିବା ପରିବର୍ତ୍ତେ ଅର୍ଥକାରୀ ଫସଲ ଉତ୍ପାଦନ କରୁଛନ୍ତି। ଏଥିରେ ଆୟ ବୃଦ୍ଧିରେ ବେଶ ସହାୟକ ହେଉଛି। କେବଳ ଏତିକି ନୁହେଁ ଘରୋଇ ସକଳ ଉତ୍ପାଦ(ଜିଡିପି)ରେ କୃଷି କ୍ଷେତ୍ରର ଯୋଗଦାନ ପାଞ୍ଚ ବର୍ଷ ପୂର୍ବର ୧୪.୨ ପ୍ରତିଶତରୁ ବଢି ୧୮.୮ ପ୍ରତିଶତରେ ପହଞ୍ଚି ଯାଇଛି। ଏହି ବୃଦ୍ଧି କରୋନା ମହାମାରୀ କାରଣରୁ ହୋଇ ପାରିଛି। କାରଣ ଗତ ଦୁଇ ବର୍ଷରେ ଶିଳ୍ପ କାରଖାନା ଠପ୍ ପଡିଥିଲା।
ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ଶସ୍ୟର ଏମଏସପି ସରକାର ଅନେକ ଥର ବୃଦ୍ଧି କରିଛନ୍ତି। ଏହି କାରଣରୁ କୃଷକଙ୍କ ଆୟ ବୃଦ୍ଧି ଘଟିଛି। ୨୦୧୪ରୁ ଏ ପର‌୍ୟ୍ୟନ୍ତ ଫସଲର ଏମଏସପି ୧.୫ରୁ ୨.୩ ଗୁଣ ବୃଦ୍ଧି ଘଟିଛି। ଏମଏସପିରେ କୃଷକଙ୍କୁ ବିଭିନ୍ନ ପ୍ରକାରର ଚାଷ କରିବାରେ ପ୍ରେରିତ କରିଥାଏ।

କ୍ରେଡିଟ୍ କାର୍ଡ ଦେଲା ଶକ୍ତି

କିଷାନ କ୍ରେଡିଟ୍ କାର୍ଡ(କେସିସି) ସାହାଯ୍ୟରେ କୃଷକ ଆର୍ଥିକ ଭାବେ ସଶକ୍ତ ହୋଇଛି। ୨୦୧୪ ମାର୍ଚ୍ଚରୁ ୨୦୨୨ ପର‌୍ୟ୍ୟନ୍ତ କେବଳ ୩.୭ କୋଟି ଯୋଗ୍ୟ କୃଷକଙ୍କୁ ଋଣ ଛାଡର ଲାଭ ମିଳିଛି। କୃଷକଙ୍କୁ ବ୍ୟାଙ୍କରୁ ଋଣ ନେବାରେ ହେଉଥିବା ସମସ୍ୟା ବହୁ ମାତ୍ରାରେ ଦୂର କରାଯାଇଛି। ବର୍ତ୍ତମାନ ପ୍ରାୟ ୭ କୋଟି ୩୭ ଲକ୍ଷ କେସିସି ସକ୍ରିୟ ରହିଛି।

 

Get real time updates directly on you device, subscribe now.