ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ହତ୍ୟାକାରୀଙ୍କ କ୍ଷମା ଯାଚିକା ଉପରେ କଣ କହିଲେ ସୁପ୍ରିମ କୋର୍ଟ?

ଚଣ୍ଡିଗଡ- ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ହତ୍ୟାକାରୀ ବଳବନ୍ତ ସିଂହଙ୍କ କ୍ଷମା ଯାଚିକା ଉପରେ ସୁପ୍ରିମ କୋର୍ଟ ରାଷ୍ଟ୍ରପତିଙ୍କ ସଚିବଙ୍କୁ ଆଦେଶ ଦେଇଛନ୍ତି କି, ସେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଦୁଇ ସପ୍ତାହ ଭିତରେ କ୍ଷମା ଯାଚିକା ଉପରେ ନିଷ୍ପତ୍ତି ନେବାକୁ ନିବେଦନ କରନ୍ତୁ । ୧୯୯୫ରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କୁ ଅତି ଦୟନୀୟ ଭାବେ ହତ୍ୟା କରିଥିଲେ ବଳବନ୍ତ ।

୩୧ ଅଗଷ୍ଟ ୧୯୧୫ରେ ବେଅନ୍ତ ସିଂହ ସଚିବାଳୟରୁ କୌଣସି କାମରେ ବାହାରକୁ ଯାଉଥିଲେ । ସେ ତାଙ୍କ କାରରେ ବସିବା ବେଳକୁ ପଞ୍ଜାବ ପୋଲିସର ଜଣେ ଯବାନ ଦିଲାବର ସିଂହ ବବ୍ୱର ଆତ୍ମଘାତୀ ବୋମା ସାଜି ବିସ୍ଫୋରଣ କରିଥିଲେ । ଏଥିରେ ବେଅନ୍ତଙ୍କ ସହ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାର ତଦନ୍ତରେ ୨୦୦୭ରେ ବଲବନ୍ତ ସିଂହ ରାଜୋଆନାଙ୍କୁ ସାମିଲ କରାଯାଇଥିଲା । ଏଥିରେ ଆଉ ୧୫ ଜଣଙ୍କ ନାଁ ମଧ୍ୟ ସାମିଲ ଥିଲା । ତଳକୋର୍ଟ ବଲବନ୍ତଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ ।

ତେବେ ଅକାଳୀ ଦଳ ବଲବନ୍ତର ମୃତ୍ୟୁଦଣ୍ଡକୁ କୋହଳ କରିବାକୁ ଅପିଲ କରିଥିଲା । କିନ୍ତୁ ସୁପ୍ରିମ କୋର୍ଟ ଏହାକୁ ମନା କରିଥିଲେ । ୨୭ ବର୍ଷ ହେବ ବଲବନ୍ତ ଜେଲରେ ରହିଛି । ୨୦୧୨ରେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ଅପିଲ ପରେ ତାର ଫାଶୀ ଦଣ୍ଡ ସ୍ଥଗିତ ରହିଛି । ତେଣୁ ସୁପ୍ରିମ କୋର୍ଟ ଏହା ଉପରେ ରାଷ୍ଟ୍ରପତି ତୁରନ୍ତ ଫୈସଲା ନେବାକୁ ଅପିଲ କରିବା ସହ ରାଷ୍ଟ୍ରପତିଙ୍କ ସଚିବଙ୍କୁ ରାଜକ୍ଷମା ଯାଚିକା ରାଷ୍ଟ୍ରପତିଙ୍କ ସମ୍ମୁଖରେ ଉପସ୍ଥିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।