fbpx

ହିଜାବ ମାମଲାରେ କର୍ଣ୍ଣାଟକ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍, HCଙ୍କ ନିଷ୍ପତ୍ତିକୁ ଦିଆଯାଇଛି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନ ଉପରେ କଟକଣା ଲଗାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଏହି ମାମଲା ଏବେ  ସୁପ୍ରିମକୋର୍ଟରେ ପହଞ୍ଚିଛି। ହାଇକୋର୍ଟଙ୍କ ନିଷ୍ପତ୍ତି ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯାଇଛି। ଆଉ ଏହି ମାମଲା ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟ ହିଜାବ କଟକଣାକୁ ବଳବତ୍ତର ରଖି କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବା ଦାବିରେ ଦାଖଲ ଯାଚିକା ଉପରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୫ ତାରିଖ ଧାର‌୍ୟ୍ୟ କରାଯାଇଛି।

ବିଚାରପତି ହେମନ୍ତ ଗୁପ୍ତା ଏବଂ ବିଚାରପତି ସୁଧାଂଶୁ ଧୂଲିଆଙ୍କ ପୀଠ ଯାଚିକା ଉପରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ସେପ୍ଟେମ୍ବର ୫ ତାରିଖକୁ ମାମଲାର ଶୁଣାଣି ପାଇଁ ସୂଚୀବଦ୍ଧ କରିଛନ୍ତି। ପୀଠ ମାମଲାରେ ସ୍ଥଗିତାଦେଶ ପାଇଁ କିଛି ଆବେଦନକାରୀଙ୍କ ଯାଚିକା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପରି ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ପୂରା ମାମଲା କଣ ?

କର୍ଣ୍ଣାଟକ ହାଇକୋର୍ଟ ଶ୍ରେଣୀ ଗୃହରେ ହିଜାବ ପରିଧାନକୁ ଅନୁମତି ଦେବା ପାଇଁ ଉଡ୍ଡୁପୀ ସ୍ଥିତ ଗଭର୍ଣ୍ଣମେଣ୍ଟ ପ୍ରି ୟୁନିଭର୍ସିଟି ଗାର୍ଲ୍ସ କଲେଜର ମୁସଲିମ ଛାତ୍ରୀଙ୍କ ଆବେଦନ ଖାରଜ କରିଥିଲେ। ଅଦାଲତ କହିଥିଲେ, ହିଜାବ ପରିଧାନ ଇସଲାମ ଧର୍ମରେ ଜରୁରୀ ଧାର୍ମିକ ପ୍ରଥାର ଅଂଶବିଶେଷ ନୁହେଁ। ଶିକ୍ଷାନୁଷ୍ଠାନରେ ୟୁନିଫର୍ମର ପିନ୍ଧିବା ନିୟମ ଉଚିତ୍ ଏବଂ ସାମ୍ବିଧାନିକ ସ୍ଵୀକୃତି ମଧ୍ୟ। ଏହା ଉପରେ ଛାତ୍ରୀମାନେ ଆପତ୍ତି କରି ପାରିବେ ନାହିଁ ବୋଲି ଉଚ୍ଚ ନ୍ୟାୟାଳୟ କହିଥିଲେ।

ଅଦାଲତ ଏହା ମଧ୍ୟ କହିଥିଲେ, ସରକାରଙ୍କ ନିକଟରେ ୨୦୨୨ ଫେବୃଆରୀ ୫ର ସରକାରୀ ଆଦେଶକୁ ଜାରି ରଖିବାର ଅଧିକାର ରହିଛି। ଏହାକୁ ଅବୈଧ ଦର୍ଶାଯିବାର କୌଣସି କାରଣ ନାହିଁ। ନିଜ ଆଦେଶରେ ରାଜ୍ୟ ସରକାର ସେହି ପୋଷାକ ପରିଧାନ ଉପରେ ରୋକ୍ ଲଗାଇଥିଲେ, ଯେଉଁଥିରେ ସ୍କୁଲ ଏବଂ କଲେଜରେ ସମାନତା, ଅଖଣ୍ଡତା ଏବଂ ସାର୍ବଜନୀନ ବ୍ୟବସ୍ଥାକୁ ବାଧାପ୍ରାପ୍ତ କରୁଥିଲା। ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରୀମାନେ ଏହି ଆଦେଶକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ।

Get real time updates directly on you device, subscribe now.