fbpx

ଧନୀ ହେବା ଓ ଅର୍ଥ ରୋଜଗାର କରିବା ପଛରେ ରହିଛି ବୈଜ୍ଞାନିକ ରହସ୍ୟ: ପ୍ରକୃତିର ନିୟମ ମାନିଲେ ଆପଣ ବି ଗରିବରୁ ମୁକ୍ତି ପାଇ ପାରିବେ

ଏ ଦୁନିଆରେ ପ୍ରତ୍ୟେକ କାର୍ଯ୍ୟ ପଛରେ ଯେପରି ଏକ ବିଜ୍ଞାନ ରହିଥାଏ, ସେହିପରି ମଣିଷ ଗରିବରୁ ଧନୀ ହେବା ପଛରେ ମଧ୍ୟ ବିଜ୍ଞାନ ରହିଥିବା କୁହାଯାଉଛି । ଏହାକୁ ନେଇ ବିଶ୍ୱସ୍ତରରେ କିଛି ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ତାହାକୁ ବିଶ୍ୱସ୍ତରରେ ଲକ୍ଷାଧିକ ଲୋକ କିଣିଥିବା ଜଣାପଡ଼ିଛି । ଅଥାତ୍ ଧନ ଅର୍ଜନ ପଛରେ ଲୁଚି ରହିଥିବା ରହସ୍ୟ ବିଷୟରେ ଜାଣିବା ପାଇଁ ଅଧିକାଂଶ ଲୋକ ଆଗ୍ରହୀ ଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି । ଆମେ ଦୈନନ୍ଦିନ ଜୀବନରେ ନିଜର ଜରୁରୀ କାର୍ଯ୍ୟ ସହିତ ଇଚ୍ଛା, ଅଭିଳାଶା ପୂରଣ କରିବା ପାଇଁ ଧନର ଆବଶ୍ୟକତା ହୋଇଥାଏ । ଯେଉଁ ପର୍ଯ୍ୟନ୍ତ ଆମ ପାଖରେ ଧନ ନାହିଁ, ସେ ପର୍ଯ୍ୟନ୍ତ ଆମେ ଆମର ଦକ୍ଷତାକୁ ପ୍ରତିପାଦିତ କରିବାରେ ସମ୍ପୂର୍ଣ୍ଣ ଭାବେ ସକ୍ଷମ ହୋଇ ପାରିବା ନାହିଁ ।

‘ଦି ସାଇନ୍ସ ଅଫ୍ ଗେଟିଙ୍ଗ ରିଚ’ ଏକ ବେଷ୍ଟ ସେଲର ବୁକ୍ ହୋଇଥିବା ବେଳେ ତାହାକୁ ଲେଖିଛନ୍ତି ଆମେରିକୀୟ ଲେଖକ ୱାଲେସ ଡି. ୱାଟଲେସ୍ । ଉକ୍ତ ପୁସ୍ତକରେ ଧନୀ ହେବା ପଛର ବୈଜ୍ଞାନିକ ରହସ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି । ଆମେ ଅଧିକରୁ ଅଧିକ ଧନ ରୋଜଗାର କରି ନିଜକୁ ଧନୀ ଭାବେ ଗଢ଼ିତୋଳିଲେ ଈଶ୍ୱର ଓ ମାନବତାକୁ ସାହାଯ୍ୟ କରିପାରିବା ।

ଧନୀ ହେବାର ବିଜ୍ଞାନ ପ୍ରକୃତିର ନିୟମ ଉପରେ ଆଧାରିତ । ଧନୀ ହେବାର ନିୟମ ଯିଏ ଥରେ ଶିଖିଯିବ, ସେ ଅଟୋମେଟିକ୍ ଭାବେ ଧନୀ ବ୍ୟକ୍ତିରେ ଗଣା ହୋଇଯିବ । ଧନୀ ପରିବାରରେ ଜନ୍ମ ହେଲେ, ଅଧିକ ଟ୍ୟାଲେଣ୍ଟ ଥିଲେ, ଧନୀ ବ୍ୟକ୍ତିଙ୍କ ଗହଣରେ ରହିଲେ, ସେମାନଙ୍କ ସହ ସମୟ ବିତାଇଲେ ହିଁ ଏହାର ପ୍ରଭାବରେ ଜଣେ ଧନୀ ହୋଇପାରିବ ବୋଲି ଅନେକ ମତ ଦେଇଥାନ୍ତି । ମାତ୍ର ଧନୀ ହେବା ସହିତ ପରିବେଶର କୌଣସି ସମ୍ପର୍କ ନଥିବା କୁହାଯାଉଛି । ଏଥିସହିତ ଆପଣ କେଉଁ ବିଜିନେସ୍ କରୁଛନ୍ତି ତା’ ଉପରେ ମଧ୍ୟ ଧନୀ ହେବା ନିର୍ଭର କରେ ନାହିଁ । ବିଭିନ୍ନ ପ୍ରଫେସନରେ କାର୍ଯ୍ୟ କରି ଲୋକମାନେ ଧନୀ ହେଉଛନ୍ତି । କାର୍ଯ୍ୟ କରିବାର ପରିଣାମକୁ ହିଁ ଧନୀ ହେବା ବୋଲି କୁହାଯାଏ ।

ଆପଣ ଜୀବନରେ ଯେତେ ବି ଗରିବ ହୋଇଥିଲେ ହେଁ ଯଦି ଆପଣ ଏହି ସାଇନ୍ସ ଅନୁସାରେ କାର୍ଯ୍ୟ ଜାରି ରଖିବେ, ତେବେ ଆପଣ ନିଶ୍ଚିତ ଭାବେ ଧନୀ ହୋଇପାରିବେ ଓ ଅଧିକ ଅର୍ଥ ନିଜ ଆଡ଼କୁ ଆକର୍ଷିତ କରିପାରିବେ । ଧନୀ ହେବାର ବିଜ୍ଞାନ କୌଣସି ମୁସ୍କିଲ କାର୍ଯ୍ୟ ନୁହେଁ । ମାତ୍ର ଏଥିପାଇଁ ବୁଝିବା ଓ ବିଚାର କରିବାର ସାମାନ୍ୟ ଦକ୍ଷତା ରହିଥିବା ଆବଶ୍ୟକ । ଆପଣଙ୍କର ସୁଯୋଗକୁ କେହି ନେଇ ପାରିବେ ନାହିଁ । ଆପଣ ଏହି ବିଜ୍ଞାନ ଦ୍ୱାରା ପରିଚାଳିତ ହେଲେ ନିଶ୍ଚିତ ଭାବେ ଅଧିକ ଧନ ରୋଜଗାର କରିପାରିବେ ।

ମଣିଷ ହେଉଛି ପ୍ରତ୍ୟେକ ଭାବନାର ପ୍ରଥମ କେନ୍ଦ୍ରବିନ୍ଦୁ । ମଣିଷ ଯେ ପର୍ଯ୍ୟନ୍ତ ଗୋଟିଏ ବିଷୟରେ ଭାବି ନାହିଁ, ସେ ପର୍ଯ୍ୟନ୍ତ ସେ କଦାପି ସେହି ଜିନିଷକୁ ତିଆରି କରିପାରିବ ନାହିଁ । ଆପଣ ଯାହାବି ଲକ୍ଷ୍ୟ ସ୍ଥିର କରିଛନ୍ତି, ତାହାକୁ ନିଜ ବ୍ରେନରେ ରଖନ୍ତୁ । ସବୁବେଳେ ସେହି ଲକ୍ଷ୍ୟ ବିଷୟରେ ଭାବିବା ଫଳରେ ତାହା ଆପଣଙ୍କର ଅଚେତନ ବ୍ରେନରେ ରହିଯିବ । ପ୍ରକୃତ ବିଚାରକୁ ଭାବି ପାରିବା ହିଁ ମଣିଷ ପାଇଁ ସବୁଠାରୁ ମୁସ୍କିଲ କାର୍ଯ୍ୟ ଅଟେ ବୋଲି ଲେଖକ କହିଛନ୍ତି । ଅଧିକାଂଶ ସମୟରେ ଅନେକ ଲୋକ ନିଜର ଖରାପ ପରିସ୍ଥିତିକୁ ହିଁ ଅଧିକାଂଶ ସମୟରେ ଭାବି ରହିଥାନ୍ତି । ଆପଣ ଯାହା ହାସଲ କରିବାକୁ ଚାହୁଁଛନ୍ତି କେବଳ ତାହା ହିଁ ଭାବନ୍ତୁ ।

ଆପଣଙ୍କର ଗରିବୀ ପାଇଁ ଈଶ୍ୱର ଦାୟୀ, ଏହା ଭାବନ୍ତୁ ନାହିଁ । ଆପଣଙ୍କର ଗରିବୀ ପାଇଁ ଆପଣଙ୍କର ଭାବନା ହିଁ ଦାୟୀ । ଆପଣ ଧୀନ ହୁଅନ୍ତୁ ଓ ଖୁସିରେ ରୁହନ୍ତୁ ଏହା ସୃଷ୍ଟିକର୍ତ୍ତା ଚାହାନ୍ତି । ଏହା ମାଧ୍ୟମରେ ଈଶ୍ୱର ଅନ୍ୟ ମଣିଷକୁ ମଧ୍ୟ ପରୋକ୍ଷ ଭାବେ ସାହାଯ୍ୟ କରିପାରିବେ । ଆପଣ ଯାହା ପାଇବାକୁ ଚାହୁଁଛନ୍ତି ପ୍ରକୃତି ତାହା ଦେବା ପାଇଁ ଇଚ୍ଛୁକ ରହିଥାଏ । ଏଥିପାଇଁ ଆପଣଙ୍କୁ ପ୍ରତିଯୋଗିତାପୂର୍ଣ୍ଣ ଭାବନାକୁ ପରିତ୍ୟାଗ କରି ସୃଜନଶୀତଳତା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ଏଥିପାଇଁ କାହାକୁ ଧୋକ୍କା ଦେବା, ଠକିବାର ଆବଶ୍ୟକତା ନାହିଁ । ଅନ୍ୟ ପାଇଁ କେଉଁ କାମ ବେଶୀ ଗୁରୁତ୍ୱପୂର୍ଣ୍ଣ ତାହା ଆପଣଙ୍କୁ ଭାବିବାକୁ ପଡ଼ିବ । ଲୋକଙ୍କର ସମସ୍ୟାକୁ ସମାଧାନ କରିବା ହିଁ ଅର୍ଥ ରୋଜଗାର କରିବାର ଏକ ପ୍ରମୁଖ ମାଧ୍ୟମ ।

ଯଦି ଆପଣ ଅନ୍ୟମାନଙ୍କ ପ୍ରତି କୃତଜ୍ଞ ରହିବେ, ତେବେ ଅନ୍ୟମାନେ ଆପଣଙ୍କ ପ୍ରତି ଅଧିକ ଆକର୍ଷିତ ହେବେ । ଆପଣ ନିରାଶ, ଉଦାସ ଥିବା ସମୟରେ କୃତଜ୍ଞତାକୁ ଅନୁଭବ କଲେ ଆପଣଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ । ସବୁବେଳେ ସଙ୍କୀର୍ଣ୍ଣତା ମଧ୍ୟରେ ରହିଲେ, ଛୋଟ ଛୋଟ କଥାକୁ ଧ୍ୟାନ ଦେଲେ ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଅବହେଳା କରି ବସିବେ । ସଫଳ ବ୍ୟକ୍ତିମାନେ ନିଜ ମନ ମଧ୍ୟରେ ଈର୍ଷା ଓ ଭୟର ବିଚାର ରଖିନଥାନ୍ତି । ଅଚେତନ ମନକୁ ବିକଶିତ କରିବା ପାଇଁ ଇଚ୍ଛାଶକ୍ତି ଏକ ଶକ୍ତିଶାଳୀ ଅସ୍ତ୍ର ଭଳି କାର୍ଯ୍ୟ କରିଥାଏ । ଆପଣ ନିଜକୁ ଓ ନିଜର ଭାବନାକୁ ନିୟନ୍ତ୍ରଣ କରିବାକୁ ସର୍ବଦା ପ୍ରୟାସ କରନ୍ତୁ ।

Get real time updates directly on you device, subscribe now.