fbpx

ଜୀବନର ପ୍ରକୃତ ଅର୍ଥ କ’ଣ ତାହା ଆପଣ ଜାଣନ୍ତି କି: ବିଜ୍ଞାନ ଖୋଜିଲା ଏହାର ଉତ୍ତର, ସଭିଙ୍କୁ ଚକିତ କରିଦେଲା ଗବେଷଣାର ପରିଣାମ

ମଣିଷକୁ ଈଶ୍ୱରଙ୍କ ସୃଷ୍ଟିରେ ସବୁଠାରୁ ଶ୍ରେଷ୍ଠ ଜୀବ ବୋଲି କୁହାଯାଇଥାଏ । ମଣିଷ ନିଜର ବୁଦ୍ଧି ବଳରେ ନିଜଠାରୁ କାହିଁକି କେତେ ବଳଶାଳୀ ଜନ୍ତୁଙ୍କୁ ନିଜ ଇସାରାରେ ନଚାଇ ପାରୁଛି । ତେବେ ମଣିଷ କ’ଣ ପାଇଁ ଜନ୍ମ ନେଇଛି, ଜୀବନର ପ୍ରକୃତ ଅର୍ଥ କଣ? ଏଇ ସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରେ ଅଛି କି? ଯଦିଓ ଏହାର ସଠିକ ଉତ୍ତର ସମସ୍ତଙ୍କ ପାଖରେ ରହିଛି ତଥାପି ଏହାର ସଠିକ୍ ପରିଭାଷା କେହି ଦେଇ ପାରିବେ ନାହିଁ । କିଛି ଲୋକ ଜୀବନକୁ ଖୁସିର ମାଧ୍ୟମ ଭାବେ ଗ୍ରହଣ କରୁଥିବା ବେଳେ ଆଉ କିଛି ନାଁ କମାଇବାର ମାଧ୍ୟମ ଭାବେ ଧରିନେଇଥାନ୍ତି ।

ଅଧିକାଂଶ ଲୋକ ଜୀବନକୁ କେବଳ ଅର୍ଥ ରୋଜଗାର, ପ୍ରେମ ବା ପରିବାର ସୃଷ୍ଟି କରିବାରର ମାଧ୍ୟମ ଭାବେ ଧରିନେଇଛନ୍ତି । ତେବେ ଏପରି କିଛି ଲୋକ ଥାଆନ୍ତି ଯେଉଁମାନେ କି ଜୀବନକୁ ଦାର୍ଶନିକ ଦୃଷ୍ଟିରେ ଦେଖିଥାନ୍ତି । କିଛି ବ୍ୟକ୍ତି ଜୀବନକୁ ଭଲ କର୍ମ ଓ ମୋକ୍ଷ ପାଇବାର ମାଧ୍ୟମ ଭାବେ ମାନିଥାନ୍ତି । ଯଦିଓ ଜୀବନର ପ୍ରକୃତ ଅର୍ଥ କାହା ପାଖରେ ନାହିଁ, ତେବେ ବୈଜ୍ଞାନିକମାନେ ଗବେଷଣା ଜରିଆରେ ଅତୀତରେ କିଛି ନୂଆ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ । ଜୀବନର ପ୍ରକୃତ ଅର୍ଥ ଉନ୍ନତ ସ୍ୱାସ୍ଥ୍ୟ, ଦୀର୍ଘାୟୁ ସହ ଜଡ଼ିତ ଥାଏ ବୋଲି ଗତ ୨୦୨୩ ମସିହାରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଥିଲା । ତେବେ ତାହା କେତେଦୂର ଠିକ୍ ତାହା କହିବା ମୁସ୍କିଲ ।

ଉକ୍ତ ରିସର୍ଚ୍ଚ ମୁତାବକ, ୬୦ରୁ କମ୍ ବୟସର ଲୋକମାନେ ସ୍ୱାସ୍ଥ୍ୟକୁ ଗମ୍ଭୀରତାର ସହିତ ନେଇନଥାନ୍ତି । ସେମାନଙ୍କ ମତରେ ଜୀବନର ଅର୍ଥ ହେଉଛି ପରିବର୍ତ୍ତନ । ଏହି ବୟସରେ ପହଞ୍ଚିବା ପରେ ସେମାନଙ୍କର ଭାବନା ପରିବର୍ତ୍ତନ ହୋଇଥାଏ । ତେଣୁ ଜୀବନରେ ସେମାନେ କେବଳ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପସନ୍ଦ କରିଥାନ୍ତି । ଯେତେବେଳେ ଲୋକମାନେ ୬୦ ବର୍ଷ ବୟସରେ ଉପନୀତ ହୋଇଯାଆନ୍ତି ସେମାନଙ୍କୁ ଜୀବନର ପ୍ରକୃତ ଅର୍ଥ ବିଷୟରେ ଅନୁଭବ ହୋଇଥାଏ ।

୨୦ ବର୍ଷ ବୟସରେ ଲୋକମାନେ ନିଜର କ୍ୟାରିୟର, ଜୀବନସାଥୀଙ୍କୁ ନେଇ ଅନିଶ୍ଚିତତା ମଧ୍ୟରେ ଗତି କରିଥାନ୍ତି । ୩୦, ୪୦ ଓ ୫୦ ବର୍ଷରେ ଜୀବନର ପ୍ରାଥମିକତା ବଦଳି ଯାଇଥାଏ । ୬୦ ବର୍ଷ ସୁଦ୍ଧା ଆପଣ ବିବାହ କରିବା ସହିତ ପରିବାର ସହିତ ରହିଥାନ୍ତି । ମାତ୍ର ଏହା ପରେ ସବୁକିଛି ବଦଳିବାକୁ ଲାଗେ । ଚାକିରି ଠାରୁ ଆରମ୍ଭ କରି ଅବସର ନେବା ପର ସମୟ ପର୍ଯ୍ୟନ୍ତ ଲୋକମାନେ ନିଜର ପରିଚୟ ହରାଇ ବସନ୍ତି । ଫଳରେ ସେମାନଙ୍କ ପାଇଁ ଜୀବନର ଅର୍ଥ ବଦଳି ଯାଇଥାଏ ।

୬୦ ବର୍ଷର ଲୋକଙ୍କଠାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖାଦେଇଥାଏ । ଅତି ଆପଣାର ଲୋକମାନେ ପରିବାରକୁ ଛାଡ଼ି ଅନ୍ୟ ଦୁନିଆକୁ ଚାଲିଯାଇଥାନ୍ତି । ଏହାପରେ ସେମାନେ ଜୀବନର ପ୍ରକୃତ ଅର୍ଥ ବିଷୟରେ ଅନୁଭବ କରିଥାନ୍ତି । ଉକ୍ତ ରିସର୍ଚ୍ଚରେ ୨୧ରୁ ଆରମ୍ଭ କରି ୧୦୦ରୁ ଅଧିକ ବର୍ଷର ଲୋକଙ୍କୁ ସାମିଲ କରାଯାଇଥିଲା । ସାକ୍ଷାତକାର ପରେ ପ୍ରଶ୍ନପତ୍ର ଆଧାରରେ ଏହାର ମୂଲ୍ୟାଙ୍କନ କରାଯାଇଥିଲା । ତେବେ ଜୀବନର ଅସଲି ଅର୍ଥ ସ୍ୱାସ୍ଥ୍ୟ ବୋଲି ଅଧିକାଂଶ ଲୋକ ଗ୍ରହଣ କରିଥିଲେ । ତେବେ ଜୀବନର ପ୍ରକୃତ ଅର୍ଥ ବିଭିନ୍ନ ବୟସର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ରହିଛି ଏହା ଆମକୁ ଗ୍ରହଣ କରିବାକୁ ହେବ । ଆଗାମୀ ଦିନରେ ଏନେଇ କିଛି ନୂଆ ତଥ୍ୟ ସାମ୍ନାକୁ ଆସିପାରେ, ମାତ୍ର ମଣିଷକୁ ଜୀବନର ରହସ୍ୟ ବିଷୟରେ ଜାଣିବା ପାଇଁ ବର୍ଷ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ ।

Get real time updates directly on you device, subscribe now.