fbpx

ମାତ୍ର ୩ ଘଣ୍ଟାରେ ଚିହ୍ନଟ ହେବ କ୍ୟାନସର: ଏକ ନୂଆ ଓ ଶସ୍ତା ମୋବାଇଲ ଟେଷ୍ଟିଂ କିଟ୍ ବିକଶିତ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ଆଜିର ସମୟରେ ମଣିଷ ଆଗରେ ମୁଖ ସମସ୍ୟା ସୃଷ୍ଟି କରୁଥିବା ଭୟଙ୍କର ରୋଗଗୁଡ଼ିକ ମଧ୍ୟରେ କ୍ୟାନସର ହେଉଛି ଅନ୍ୟତମ । ୫୦ରୁ କମ୍ ବୟସର ଲୋକମାନେ ଏଥିରେ ବେଶି ଶିକାର ହେଉଥିବା ବେଳେ ଦେଶରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ଗତ ୨୦୨୦ ମସିହାରେ କ୍ୟାନସରରେ ୭.୭ ଲକ୍ଷ ଲୋକଙ୍କ ଜୀବନ ହାନୀ ଘଟିଥିବା ବେଳେ ୨୦୨୧ରେ ୭.୮ ଲକ୍ଷ ଓ ୨୦୨୨ରେ ୮.୦୮ ଲକ୍ଷ ଲୋକ ମୃତ୍ୟୁବରଣ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟରୁ ଜଣାପଡ଼ିଛି ।

ବୈଜ୍ଞାନିକମାନେ କ୍ୟାନସରକୁ ନେଇ କ୍ରମାଗତ ଭାବେ ଗବେଷଣା ଜାରି ରଖିଥିବା ବେଳେ ନିକଟରେ ଏନେଇ ଏକ ବଡ଼ ସଫଳତା ମିଳିଛି । ସ୍ପେନର ବୈଜ୍ଞାନିକମାନେ ଏକ ସହଜ ଓ ଶସ୍ତା ମୋବାଇଲ ଟେଷ୍ଟିଂ କିଟ୍ ବିକଶିତ କରିଛନ୍ତି । ଏହି କିଟ୍ ମାଧ୍ୟମରେ ମାତ୍ର ୩ ଘଣ୍ଟା ମଧ୍ୟରେ କ୍ୟାନସରକୁ ଚିହ୍ନଟ କରିବା ସମ୍ଭବ ହୋଇପାରିବ । ଏହି ଟେକ୍ନୋଲୋଜିର ପ୍ରୟୋଗ କରାଯାଇ ସ୍ୱଳ୍ପ ସମୟ ମଧ୍ୟରେ ରୋଗୀର ନମୂନା ସହିତ କୃତ୍ରିମ ବୁଦ୍ଧିମତ୍ତାକୁ ସଂଯୁକ୍ତ କରାଯିବ ।

ତେବେ ଏହି ସରଳ ପ୍ରକ୍ରିୟା ବିଶ୍ୱର ଅନ୍ୟତମ ଅଗ୍ରଣୀ କ୍ୟାନସର ଚିହ୍ନଟକାରୀ ହୋଇପାରିବ ବୋଲି ବୈଜ୍ଞାନିମାନେ ମତ ଦେଇଛନ୍ତି । ଏହି ଟେକନିକ ପାଇଁ ଆବଶ୍ୟକ ହେଉଥିବା ମେସିନ୍ ବହୁତ ଛୋଟ ହୋଇଥିବା ବେଳେ ତାହାକୁ ସହଜରେ ଲାପଟପ କିମ୍ବା ପୋର୍ଟେବଲ ବ୍ୟାଟେରୀ ଦ୍ୱାରା ଚାର୍ଜ କରାଯାଇ ପାରିବ ଓ ଦୂର ସ୍ଥାନକୁ ମଧ୍ୟ ନିଆଯାଇ ପାରିବ । ଏହା ଏକ ଶସ୍ତା ଟେକ୍ନୋଲୋଜି ଭାବେ ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ଏହି ଟେକ୍ନୋଲୋଜି ମାଧ୍ୟମରେ କେବଳ କର୍କଟର ଉପସ୍ଥିତି ବିଷୟରେ ଜାଣିହେବ ତା’ ନୁହେଁ, ରୋଗ କେତେ ବୃଦ୍ଧି ପାଇଛି ତାହା ମଧ୍ୟ ଜାଣିହେବ । ପୂର୍ବରୁ ବୈଜ୍ଞାନିମାନେ ଏହି ଟେକନିକ ପ୍ରୟୋଗ କରି ବ୍ରେଷ୍ଟ, ଅନ୍ତନଳୀ କ୍ୟାନସରକୁ ଚିହ୍ନଟ କରିସାରିଛନ୍ତି । ତେଣୁ ଆଗାମୀ ଦିନରେ ଏହାକୁ ପ୍ରୟୋଗ କରାଯାଇ ପାରିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.