fbpx

ସବୁ ଜିଲ୍ଲାକୁ ବ୍ୟାପୁଛି ସ୍କ୍ରବ ଟାଇଫସ୍, ୧୦ ଦିନ ଭିତରେ ଜ୍ୱର ଭଲ ନ ହୋଇ ଜଟିଳ ହେଲେ ମୃତ୍ୟୁ ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ସ୍କ୍ରବ ଟାଇଫସ୍ ରୋଗ ଏବେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ଦିନକୁ ଦିନ ଏହି ରୋଗ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ବିଶେଷକରି ସୁନ୍ଦରଗଡରେ ଏହି ରୋଗ ଆତଙ୍କ ଖେଳାଇ ଦେଇଛି । ଏହି ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଥିବା ବେଳେ ଗତକାଲି ଗୋଟିଏ ଦିନରେ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ରୋଗରେ ଆକ୍ରାନ୍ତ ହୋଇ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ବି ହୋଇସାରିଛି ।

ସାଧାରଣତଃ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ଦେଖିବାକୁ ମିଳିଥାଏ । ଚିଗର୍ସ ନାମକ ଏକ ପୋକ କାମୁଡିବା ଦ୍ୱାରା ଲୋକଙ୍କ ଶରୀରରେ ଏହି ସଂକ୍ରମଣ ଆରମ୍ଭ ହୋଇଥାଏ । ଟିଙ୍କ ପରି ଦେଖାଯାଉଥିବା ଏହି ପୋକ ସାଧାରଣତଃ ପୋଖରୀ, ଜଙ୍ଗଲ ଓ ଚାଷ ଜମିରେ ଦେଖିବାକୁ ମିଳିଥାଏ । ପୋଖରୀ, ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକମାନେ ଏହି କୀଟପୋକ ଦଂଶନର ଶିକାର ହୋଇଥାନ୍ତି ।

ଏହି ସଂକ୍ରମଣରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭୀଷଣ ଜ୍ୱର ହେବା ସହ ମୁଣ୍ଡ ବୁଲାଇବା ଓ ମାଂସପେଶୀ ଦରଜ ହୋଇଥାଏ । ପୋକ କାମୁଡିଥିବା ସ୍ଥାନ କୁଣ୍ଡେଇ ହେବା ସହ କିଛି ସମୟ ପରେ କଳା ପଡିଯାଏ । ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଠିକ୍ ସମୟରେ ପରୀକ୍ଷା କରି ଚିକିତ୍ସା କରାଇଲେ ରୋଗୀଙ୍କ ଜୀବନ ବିପଦମୁକ୍ତ ହୋଇଥାଏ ବୋଲି ଡାକ୍ତର କହିଛନ୍ତି । ତେବେ ପ୍ରତି ଜିଲ୍ଲାରେ ଏହି ସ୍କ୍ରବ ଟାଇଫସ୍ କେସ୍ ଆସୁଥିବାରୁ ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ମାସ ସୁଦ୍ଧା ଏହି ରୋଗକୁ ନେଇ ୮,୦୦୦ ଟେଷ୍ଟିଂ କରାଯାଇ ସରିଲାଣି । ଆରମ୍ଭରୁ ଆଣ୍ଟିବାୟୋଟିକ ନେଲେ ଏହି ରୋଗର ନିରାକରଣ ହୋଇପାରିବ ବୋଲି ଡାକ୍ତର କହିଛନ୍ତି । କିନ୍ତୁ ୧୦ ଦିନ ଭିତରେ ଜ୍ୱର ନ କମିଲେ ଏହା ମୃତ୍ୟୁର କାରଣ ହୋଇପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.