ନୂଆଦିଲ୍ଲୀ: ଯୁଦ୍ଧକାଳୀନ ପରିସ୍ଥିତି ମଧ୍ୟରେ ୟୁକ୍ରେନରେ ଫସିଥିବା ୨୫୦ ଜଣ ଭାରତୀୟ ନାଗରିକ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି । କେନ୍ଦ୍ରୀୟ ନାଗରିକ ଉଡାଣ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ବିଦେଶ ରାଜ୍ୟ ମନ୍ତ୍ରୀ ଭି. ମୁରଲୀଧରନ୍ ରୋମାନିଆ ରାସ୍ତା ଦେଇ ୟୁକ୍ରେନରୁ ଫେରିଥିବା ଭାରତୀୟ ନାଗରିକଙ୍କୁ ସ୍ୱାଗତ କରିଥିଲେ । ଏହା ଭିତରେ ବୁଡାପେଷ୍ଟ୍(ହଙ୍ଗେରୀ)ରୁ ୨୪୦ ଭାରତୀୟଙ୍କୁ ନେଇ ଅପରେସନ୍ ଗଙ୍ଗା ଅଧୀନରେ ଆଉ ଏକ ବିମାନ ଉଡାଣ ଭରିଛି ।
ୟୁକ୍ରେନରୁ ଭାରତକୁ ଫେରିଥିବା ଭାରତୀୟ ଛାତ୍ର ଆତିଶ ନାଗର କହିଛନ୍ତି ଯେ, ୧୦ ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ସେଠାରେ ଫସିରହିଛନ୍ତି । ସେମାନଙ୍କୁ ଆଣିବାର ବ୍ୟବସ୍ଥା କରାଯାଉ । ସେହିପରି ଅନ୍ୟ ଜଣେ କହିଛନ୍ତି ଯେ, ସେମାନେ ସେଠାରେ ଖୁବ୍ ଭୟଭୀତ ଅବସ୍ଥାରେ ରହିଛନ୍ତି । ୟୁକ୍ରେନର ଅନ୍ୟ ସ୍ଥାନ ତୁଳନାରେ ସେମାନେ ଯେଉଁ ଠାରେ ଥିଲେ ଅର୍ଥାତ୍ ରୋମାନିଆ ସୀମା ନିକଟରେ ସେଠାକାର ସ୍ଥିତି ଭଲ ଥିଲା । ସୂଚନାଯୋଗ୍ୟ ଯେ, ୟୁକ୍ରେନରେ ବର୍ତ୍ତମାନ ୧୬ ହଜାର ଭାରତୀୟ ଫସି ରହିଛନ୍ତି ।