fbpx

ଗର୍ଭବତୀ ମହିଳାଙ୍କ ପାଇଁ କରୋନାର ଦ୍ୱିତୀୟ ଲହର ଥିଲା ଅଧିକ ବିପଜ୍ଜନକ: ICMR

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମଆର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ମୁତାବକ, କରୋନା ଭାଇରସର ଦ୍ୱିତୀୟ ଲହର ଗର୍ଭବତୀ ମହିଳା ଓ ନିକଟରେ ସନ୍ତାନ ପ୍ରସବ କରାଇଥିବା ମହିଳାମାନଙ୍କ ଉପରେ ବେଶି ପ୍ରଭାବ ପକାଇଛି । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଗୁରୁତର ଓ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ଏହି ଅଧ୍ୟୟନରେ, ଗର୍ଭବତୀ ଓ ପ୍ରସବ କରାଇସାରିଥିବା ମହିଳାଙ୍କ ପ୍ରଥମ ଏବଂ ଦ୍ୱିତୀୟ ଲହର ମଧ୍ୟରେ ତୁଳନା କରାଯାଇଛି ।

ତେବେ ଅଧ୍ୟୟନ ଅନୁସାରେ, ଦ୍ୱିତୀୟ ତରଙ୍ଗରେ ଲକ୍ଷଣ ଥିବା ମାମଲା ଅଧିକ ଥିଲା । ପ୍ରଥମ ଲହରରେ ୧୪.୨ % ଥିବା ବେଳେ ଦ୍ୱିତୀୟରେ ୨୮.୭ ପ୍ରତିଶତ ରହିଛି । ଏଥି ସହିତ ଦ୍ୱିତୀୟ ଲହରରେ ମୃତ୍ୟୁ ହାର ୫.୭ ପ୍ରତିଶତ ଥିବା ବେଳେ ପ୍ରଥମ ଲହରରେ ଏହା ମାତ୍ର ୦.୭ ପ୍ରତିଶତ ଥିଲା ।

ସମୁଦାୟ ୧୫୩୦ ଗର୍ଭବତୀ ଏବଂ ପ୍ରସବ କରାଇଥିବା ମହିଳାମାନଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା, ଯେଉଁଥିରୁ ୧୧୪୩ ପ୍ରଥମ ଲହରରେ ଓ ୩୮୭ ଜଣ ଦ୍ୱିତୀୟ ଲହରରେ ସାମିଲ ହୋଇଥିଲେ । ପ୍ରଥମ ଏବଂ ଦ୍ୱିତୀୟ ଲହରରେ ସମୁଦାୟ ମୃତ୍ୟୁ ହାର ଦୁଇ ପ୍ରତିଶତ ଥିଲା, ଯେଉଁଥିରେ ଅଧିକାଂଶ କୋଭିଡ ନିମୋନିଆ ଏବଂ ଶ୍ୱାସକ୍ରିୟାରେ ଅସୁବିଧା ହେଉଥିବା ମାଲା ଥିଲା । ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ବର୍ଗର ମହିଳାମାନଙ୍କ ପାଇଁ ଟିକାକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଭାରତରେ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଏହି ଟିକା ନେବାକୁ ପରାମର୍ଶ ଦିଆଯାଇଛି । କିନ୍ତୁ ଏନେଇ ସରକାର କୌଣସି ଗାଇଡଲାଇନ୍ ଜାରି କରିନାହାନ୍ତି । ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ପରାମର୍ଶ ଦେଇଛି ଯେ, ଯଦି ଗର୍ଭବତୀ ମହିଳାଙ୍କୁ କୋଭିଡର ଅଧିକ ବିପଦ ରହିଛି ବା ସେମାନଙ୍କୁ ଅନ୍ୟ ରୋଗ ରହିଛି, ତେବେ ସେମାନଙ୍କୁ ଟିକାକରଣ କରାଯିବ ଉଚିତ୍ ।

Get real time updates directly on you device, subscribe now.